ନୃଶଂସତାର ଚରମ ସୀମା – ଗଗନ ପାଣିଗ୍ରାହୀ

“ପାଣି ପାଣି ପାଣି” କରୁଥିଲା ରଡି
କୃଷ୍ଣାଙ୍ଗ ଲୋକଟି ଭୂଇଁ ତଳେ ପଡି,
ଶ୍ବେତାଙ୍ଗ ପୁଲିସ୍ ତାର ଗଳା ପରେ
ଆଣ୍ଢୁ ଚାପା ଦେଇ ବସିଥାଏ ମାଡି|
ପର ମୁର୍ହୁତ୍ତରେ “ମାଆ” ବୋଲି ଡାକି
ମାଗିଲା “ଟୋପାଏ ଦିଅ ମୋତେ ପାଣି”,
ପାଣି ବଦଳରେ ଆହୁରି ପୁଲିସ
ଚାପି ଦେଉଥାଏ ଆଣ୍ଠୁ ଜାଣି ଜାଣି|
କହନ୍ତେ “ପାରୁନି ମୁଁ ନେଇ ନିଃଶ୍ବାସ,
ଲୋକର ନାସାଗ୍ରୁ ବହିଲା ରକତ, ,
ଧୀର ହୋଇଗଲା କଣ୍ଠ ସ୍ବର ତାର
ନୋହିଲା ତଥାପି କ୍ରୁରତାର ଅନ୍ତ|
ଆସ ପାଶ ଜନେ ଯାଉଥିଲେ ଯେତେ
ହୋଇଲେ ନେହୁରା ପୁଲିସ ଆଗରେ,
“ଛାଡି ଦିଅ ତାକୁ” ହେଲେ ସେ ସମସ୍ତ
ପଡିଲା ପୁଲିସ ବଧୀର କର୍ଣ୍ଣରେ|
ପୁଲିସ ନିଷ୍ଠୁର ଦିଶୁଥାଏ ଅବା
ମାଂସହାରୀ ପଶୁ ଶ୍ବାପଦ ପରାଏ,
ତୀକ୍ଷ୍ଣ ଦନ୍ତ ଦେଇ କାମୁଡି ଧରିଚି
ଛାଡିବନି ଜମା ନ ମରିଲା ଯାଏଁ|
କିଛିକ୍ଷଣ ପରେ ଆଉ ସେ ଲୋକଟି
ନିଃଶ୍ବାସ ଜମାରୁ ନପାରିଲା ନେଇ,
ଉଡିଗଲା ତାର ଶେଷ ପ୍ରାଣ ବାୟୁ
ସେଇଠି ପୁଲିସ୍‌ ଆଣ୍ଢୁ ତଳେ ଶୋଇ|
ଲୋକ ଦେଖାଣିଆ ଆସିଲା ଷ୍ଟ୍ରେଚର
ନେବା ପାଇଁ ତାକୁ ଡାକ୍ତର ଖାନାକୁ,
ସେତେବେଳେ ସିଏ ମୁର୍ଦ୍ଦାର କେବଳ
ଝୁଲି ପଡୁଥିଲା ମସ୍ତକ ତଳକୁ|
କ୍ରୁର ବର୍ବରତା ନିର୍ମମ ଏ ଦୃଶ୍ୟ
ଦର୍ଶନ ମାତ୍ରକେ ହୃଦ ଯାଏ ଥରି,
ସଭ୍ୟ ବୋଲି ଆମେ କହୁଅଛୁ ପରା
ଇଏ ଅସଭ୍ୟତା ସମ୍ଭବ କିପରି?
କାହିଁ ପାଇଁ ତେବେ ନ୍ୟାୟାଳୟ ଅଛି
କିଂପାଇଁ କାନୁନ?କାହିଁକି ଓକିଲ,
ଦିବାଲୋକେ ଯଦି ମରିବ ମଣିଷ
ପୁଲିସ ହାତରେ ହୋଇ କଲବଲ|
ସାରା ଆମେରିକା କରନ୍ତି ବିକ୍ଷୋଭ
ଯେପରି ଏପରି ନଘଟିବ ଆଉ,
କଳା ଧଳା ମିଶି କରୁଛନ୍ତି ଦାବୀ
ନିର୍ମମ ପୁଲିସ୍‌ କାରାଦଣ୍ଡ ପାଉ|
ଇଏତ ଦୁଃଖଦ କେତେ ଦିନ ଧରି
ମରୁଥିବେ କଳା ପୁଲିସ ହାତରେ,
ଦଳିତ ପତିତ ହୋଇ ରହିଥିବେ
କୃଷ୍ଣକାୟ ଜନେ ସମାଜ ଭିତରେ|
ହ୍ୟୁମାନ୍‌ ରାଇଟ୍ସ ସଭିଙ୍କର ଅଛି
ସଭିଙ୍କୁ ସମାନ ମାନିବାକୁ ହେବ,
ଦୂରେଇଲେ କଳା ଧଳା ଭେଦଭାବ
ବିଶ୍ବେ ଶାନ୍ତି ମୈତ୍ରୀ ପ୍ରତିଷ୍ଠା ହୋଇବ

ଟରୋଣ୍ଟୋ, କାନାଡା ୪୧୬୨୨୩୨୭୫୬

Be the first to comment

Leave a Reply

Your email address will not be published.


*