ଆଗକୁ ବଢା ତୋ ପାଦ – ସ୍ୱପ୍ନ ଲତା ରଥ

ସଖୀ !
ଆଗକୁ ବଢା ତୋ ପାଦ
ପଛରେ ପଡିଥାଉ ଛାଡି ଆସିଥିବା
ଅଗଣିତ ଯେତେ ପାଦଚିହ୍ନ
ବାରମ୍ୱାର ଫେରି ଚାହିଁଲେ କି
ଲେଉଟି ଆସିବ ସେ ଦିନ

ପବନ ଉଡେଇ ନେଲେ ନେଉ
ବାଲି ପୋତିଦେଲେ ପୋତି ଦେଉ
ପାଣି ଭସେଇ ନେଲେ ନେଉ
ହଜି ଗଲେ ହଜି ଯାଉ ପାଦଚିହ୍ନ
ତୋ’ର କି ଯାଏ ଆସେ
ବାରମ୍ୱାର ଫେରି ଚାହିଁଲେ କି
ଲେଉଟି ଆସିବ ସେ ଦିନ

ସେଠି ତ ଅସଂଖ୍ୟ ପାଦର ଚିହ୍ନ
ନିରେଖି ନିରେଖି ଯେତେ ଦେଖିଲେ ବି
ନିଜ ପାଦ ଚିହ୍ନ ନିଜେ କି ପାଇବୁ ଖୋଜି
ସମୟ କି ଅଟକି ଯାଏ କାହାପାଇଁ
ଆଗକୁ ବଢିବା ବେଳେ ଅନାୟାସେ
କୋଳେଇ ନେଇଛି ଆସିଥିବା ଯାଇଥିବା
ଆହୁରି ଅନେକ ପାଦ ଚିହ୍ନ
ବାରମ୍ୱାର ଫେରି ଚାହିଁଲେ କି
ଲେଉଟି ଆସିବ ସେ ଦିନ

ଭୁଲିଯା’ ବିଗତ ଦିନ
ଆଉ ଛାଡି ଆସିଥିବା ନିଜ ପାଦଚିହ୍ନ
ବରଂ ସେ ଅଣଦେଖା ସେଇଠି ପଡିଥାଉ
ଆଉ କିଏ ଚିହ୍ନି ଯଦି ସାଇତିବ ସାଉତୁ
ନିଜ ହୃଦୟ ବେଦିରେ
ତୋର କି ଯାଏ ,
ବାରମ୍ୱାର ଫେରି ଚାହିଁଲେ କି
ଲେଉଟି ଆସିବ ଆଉ ସେ ଦିନ

ଶୁଉଣୁ ସଖୀ !
ଆଗକୁ ବଢା ତୋ ପାଦ
ଆଗରେ ରହିଛି ତୋ’
ସୁଖର ସଂପଦ , ଶାନ୍ତିର ସଂପତ୍ତି
ହେବା ପାଇଁ ତୋତେ ପ୍ରାପ୍ତି
ଦେବା ପାଇଁ ତୋତେ ମୁକ୍ତି

ଆଗକୁ ବଢା ତୋ ପାଦ ।

Sawpna Rath lives in Michigan and is a regular contributors to OSA Literary Initiatives

Be the first to comment

Leave a Reply

Your email address will not be published.


*