ବାଂଝ By Suchismita Panda

ଜୀବନ ରଙ୍ଗ ମଂଚ ରେ ମୁଁ ଏକ ଅବହେଳିତ ନାୟିକା | ମୁଖ୍ୟ ଭୂମିକା ର ପ୍ରତିଶୃତି ମିଳି ଥିଲେ ବି, ମୁଁ ସର୍ବଦା side artist ଭାବ ରେ ରହି ଯାଇଛି | ହୁଏତ ଟିକିଏ ସାହସ କରି ଅଭିଯୋଗ କରି ଥିଲେ, ମୁଁ ଆଜି ମୋର ଉପଯୁକ୍ତ ପଦବି ପାଇ ପାରି ଥାନ୍ତି | ସମୟ ର ବିବର୍ତନ ରେ କାଲ ପାଲିଟି ଥିବା ସମ୍ବନ୍ଧୀଙ୍କ ଆଗରେ, ଗଳା ଫଟେଇ ମୋର ଅଧିକାର ଦାବି କରିବା ପରିବର୍ତେ ମୁଁ ଚୁପ ରହି ବାକୁ ଶ୍ରେୟ ମଣିଛି | ମୋର ମାନ, ମର୍ଯ୍ୟାଦା ର dehliz ଏତେ ଉଞ୍ଚା ଯେ ତାକୁ ଡେଇଁ ଯିବାର କ୍ଷମତା ଜୁଟେଇ ପାରିନି କେବେ | କୁଳ ହିତା ଦୁହିତା, ଆଦର୍ଶ ବୋହୁ ଏବଂ ଘରଣୀ ସ୍ତ୍ରୀ ର ଚକ୍ରବୀହୁ ରେ ଛନ୍ଦି ହେଇ, ତାକୁ ଭେଦ କରି ବାର ଗୁରୁ ମନ୍ତ୍ର ଟା ମୁଁ ପାଶୋରି ଯାଇଛି ଯେପରି | ମୋ ଭଉଣୀ କୁହେ ମୁଁ କାଳେ ଖୁବ ଡରୁଆ | ମୋର ସ୍ୱାର୍ଥ ନିମନ୍ତେ ମୁଁ କେବେ ଲଢିନି | ନହେଲେ କଣ ମୁଁ ଏତେ ହତାଦର ଆଉ ତିରସ୍କାର ର ଯୋଗ୍ୟ |

 

ଆଜି କିନ୍ତୁ, ଏ କଣ ସବୁ ମୁଁ କରି ବସିଲି |

 

ଏତେ ଦିନ ପରେ ମୁଁ ଗର୍ଭବତୀ| ଡ଼କ୍ଟର ଅଫିସ ରୁ ଫୋନ ଆସିଲା ପରେ ମୋର ଖୁସି ର ସିମା ନାହିଁ| କାହିଁ ଯେ ହେବନି | ଦୀର୍ଘ ବାର ବର୍ଷ ର ସେ ଅବିବ୍ୟକ୍ତ ଗଞ୍ଜଣା, ମୁଁ କାଳେ ବାଂଝ | ଆମ ପଡିଶା ଘର ର ଛୁଆ ଟା ତଳେ ପଡି କାନ୍ଦୁ ଥିଲା | ମୋର ଦେହ ସହି ଲାନି | ଦୌଡ଼ି ଯାଇ ତାକୁ ଜାକି ପକେଇଲି ବୋଲି ତା ମା ମତେ ବହେ ଶୋଧିଲା | ଛୁଆ କୁ ମୋ କୋଳ ରୁ ଛଡେଇ ନେଉ ନେଉ ମତେ ମୋର ବାଂଝ ହେବା ର ଲିମିଟେସନ ମନେ ପକେଇ ଦେଲା | ସାତ ସାନ ମୋର ଯା, ତାର ତିନି ତିନି ଟା ଛୁଆ | ସେଥି ପାଇଁ ମୋ ଶାଶୂଘରେ ସେ ସମସ୍ତଙ୍କର ମଉଡ ମଣି | ପ୍ରଥମ ଛୁଆ ମାମାଲି ର ଜନ୍ମ ବେଳେ, ମୋର ପାଦ ତଳେ ପଡୁ ନଥିଲା | ଏତେ ଦିନ ପରେ ଆମ ଘରେ ସେ କଅଁଳା ସ୍ୱର ର କାନ୍ଦ ଶୁଣି ମୁଁ ହାତ ବଢ଼େଇ ଦେଲି ତାକୁ ଧରି ବାକୁ | କିନ୍ତୁ ମୁଁ ବାଂଝ ବୋଲି କହି ଶାଶୁ ଆକଟ କଲେ | କାଳେ ନଜର ଲାଗି ଯିବ | ଛୁଆ କୁ ଧରି ବାରୁ ମୁଁ ବଂଚିତ ହେଲି | ତା ପରଠୁ ମୁଁ ମୋ ନିଜକୁ ଛୁଆ ମାନଙ୍କ ଠୁ ଦୂର ରେ ରଖି ବାକୁ ଠିକ ମନେ କଲି | ଚାହିଁ ଥିଲେ ମୁଁ ଏ ଅନ୍ୟାୟ ର ବିରୋଧ କରି ପାରି ଥାନ୍ତି | ପଚାରି ଥାନ୍ତି ସମସ୍ତଙ୍କୁ, କଣ ଖାଲି ଗର୍ଭ ରେ ଧରି ଥିଲେ ମୁଁ ମା ହେଇ ଥାନ୍ତି | ନାରୀ ର ଆନ୍ତରିକତା କଣ ଏତେ ଦୁର୍ବଳ |

 

ମୋର ମମତା ର ଏମିତି ଯେ କେତେ ଯନ୍ତ୍ରଣା , ଝରଣା ହୋଇ ମୋ ଆଖିରୁ ଝରି କାନି ରେ ଶୁଖି ଯାଇଛି | ହେଲେ ମୁଁ ଚୁପ ରହିଛି | ଏକାଂଚନ ରେ ମୋର ବୁକୁ ଫଟା ରୋଦନ | ଆଜି ଏ ସବୁ ର ପରିସମାପ୍ତି ଘଟିବ | ଆଜି ମୁଁ ଚିତ୍କାର କରି ସମସ୍ତଙ୍କୁ ଜଣେଇବି , ମୁଁ ବି ଉପଯୋଗ୍ୟ ହେଇଚି ମା ପଦବୀ ପାଇଁ | ମୁଁ ସାଜିଛି ଆଜି ମୁଖ୍ୟ ନାୟିକା | ମୁଁ ଦାବି କରୁଛି ଆଜି ନାରୀ ହେବାର ମୋର ନାର୍ଯ୍ୟ ଅଧିକାର |

 

ଠିକ ସେତେ ବେଳକୁ ଆଉ ଥରେ ଫୋନ ର ଘଣ୍ଟି ବାଜି ଉଠିଲା |

ମୋର ଅତି ପ୍ରିୟ ବାନ୍ଧବୀ ଜିତା ଡାକି ଥିଲା | ଯଦିଓ ମୋର ଗର୍ଭବତୀ ହେବାର ଖବର ଟା କାହା ଆଗରେ ପ୍ରକାଶ କରି ନଥିଲି , ତାକୁ କହି ଦେବାକୁ ମନସ୍ଥ କଲି | କିନ୍ତୁ , ତାର ବାଷ୍ପରୁଦ୍ଧ ସ୍ୱର ଶୁଣି ମୁଁ ଠଉରେଇ ନେଲି କିଛି ଗୋଟେ ଅଘଟଣ ଘଟି ଯାଇଛି ବୋଧେ | ମୁଁ କିଛି ପଚାରିବା ପୂର୍ବରୁ ଟିଭି ଖୋଲି ଦେଖିବା ପାଇଁ ସେ ନିର୍ଦେଶ ଦେଲା | ହାରାହାରି ସବୁ ଚାନେଲ ରେ ସେଇ ଗୋଟିଏ news, ସେଇ ଗୋଟିଏ ଭିଡ଼ିଓ | ଶାନ୍ତି ମାଉସୀ ର | ତାକୁ ତାର ପୁଅ ପିଟି ପିଟି ମାରି ଦେଇଛି | ଇସ!!!!! କି ଦୃଶ୍ୟ | ଖସି ପଡିଲା ରିମୋଟ ଟା ମୋ ହାତରୁ |

 

ଶାନ୍ତି ମାଉସୀ ଜିତା ଘରେ କାମ କରୁ ଥିଲା | ମୁଁ ଯେତେ ଥର ତା ଘର କୁ ଯାଇଛି ସେ ତାର ସବୁ କାମ ଛାଡିକି ଘଡ଼ିଏ ମୋ ସହିତ ଗପିବ | ତାର ସବୁ ଗପରୁ ଗୋଟିଏ ଗପ ପୁରା ନିଆରା | ସେ କାଳେ କପାଳୀ ବାବାଙ୍କ ନିର୍ଦେଶ କ୍ରମେ, କଦଳୀ ରେ ପୋକ ପୁରେଇ ଖାଇକି ପୁଅ ଜନ୍ମ କରି ଥିଲା | କେତେ ବର୍ଷର କେତେ ଯତ୍ନ ପରେ ପୁଅ ଟିକୁ ପାଇ ସେ ବାଂଝ ହେବା ରୁ ମୁକ୍ତ ହେଇ ଥିଲା ବୋଲି ତା ଉପରେ ଜୀବନ ଲଦି ଥିଲା | କେତେ ବାବୁଙ୍କର ହାତ ଗୋଡ ଯୋଡି ପୁଅ କୁ ଡ୍ରାଇଭର ଚାକିରୀ ଟିଏ କରେଇଲା ଶାନ୍ତି ମାଉସୀ | ଘର ଘର ବୁଲି କାମ କରି ଯାହା ପଇସା ସଞ୍ଚି ଥିଲା , ଘର ବଖରାଏ ତୋଳି ମାଟ୍ରିକ ଫେଲ ପୁଅ ପାଇଁ ବୋହୁ ଟିଏ ଆଣିଲା | ହାତ ଗୋଡ ନଚାଲିଲା ରୁ ପୁଅ ବୋହୁ ନେଇ ଵୃଦ୍ଧାଶ୍ରମ ଆଗରେ ଫୋପାଡ଼ି ଆସିଲେ | ଯେତେ କାକୁତି ମିନତୀ ହେଲା ପୁଅ ଟା ଜମା ଶୁଣିଲାନି | ମଝି ରେ ମଝିରେ ଶାନ୍ତି ମାଉସୀ ଖସି କି ପଳେଇ ଆସି ବାକୁ ଚେଷ୍ଟା କରେ, ହେଲେ ବିଫଳ ହୁଏ | ସେଦିନ କିନ୍ତୁ ତା ପୁଅ ର ଜନ୍ମଦିନ | ଶିବଙ୍କ ବେଲ ପତ୍ର ପୁଅ ମୁଣ୍ଡରେ ଛୁଆଁଇବ ବୋଲି କଳେ ବଳେ କୌଶଳେ ଖସି ଆସିଲା | କିନ୍ତୁ ଅଭାଗିଆ ମଦୁଆ ପୁଅ ଟା ରାଗ ରେ ଅନ୍ଧ ହୋଇ ତାକୁ ପିଟି ପିଟି ମାରି ଦେଲା | ବୋଧ ହୁଏ ସିଏ ଯଦି ବାଂଝ ହେଇ ଥାନ୍ତା ତାହେଲେ ଏଇ ଅମାନବୀୟ ଯନ୍ତ୍ରଣା ରୁ ବଂଚି ଯାଇ ଥାନ୍ତା |

ଶାନ୍ତି ମାଉସୀ ର ଭାଗ୍ୟ ଲିଖନ ଅନୁଭବ କଲା ପରେ ମୋର ଦେହ ଥଣ୍ଡା ପଡି ଯାଇ ଥିଲା | ମୁଣ୍ଡ ଟା ଶୂନ ହେଇ ଯାଇ ଥିଲା | ରହି ରହି ଗୋଟିଏ ପ୍ରଶ୍ନ ମୋ ମନରେ ଉଙ୍କି ମାରୁ ଥିଲା | ବାଂଝ ହେଇ ସମାଜ ର ଗଞ୍ଜଣା ସହିବା ବେଶୀ ବାଧିବ ନା ଜନ୍ମ କରି ଥିବା ଛୁଆଙ୍କର ତିରସ୍କାର | ଏଇଆ ସବୁ ଭାବୁ ଭାବୁ ମୁଁ ଡ଼କ୍ଟର ଅଫିସ କୁ ଫୋନ ଲଗେଇ କଣ ସବୁ ଗପି ସାରି ଥିଲି | ସେପଟୁ ଶୁଣା ଗଲା, ମୋର abortion ର ଆପୋଇଣ୍ଟମେଣ୍ଟ confirm |

1 Comment

Leave a Reply

Your email address will not be published.


*