ନାଁ ବଦଳିବା ଆମେରିକାରେ: “ଚନ୍ଦ୍ରମଣି ରୁ ହେଲି, ଚନ୍ଦ୍ରା: (ପ୍ରଥମ ନାମ (ଚନ୍ଦ୍ରା), ମଧ୍ୟମ ନାମ (ମଣି )

ମୋର ଶିକ୍ଷୟତ୍ରୀ ସାଙ୍ଗ ସରୋଜିନୀ "ମୋ ମଣି କବିତା" ପଢି ଫେସ ବୁକରେ ଲେଖିଲେ ଚନ୍ଦ୍ରମଣି , "ତୁମର ମଣିଟିକୁ କିଏ ନେଇଗଲା ? ଆଉ "ଚନ୍ଦ୍ରା"ରେ କେବଳ ରଖିଦେଲା !!"? ମନେ, ମନେ ଭାବିଲି ଉତର କଣ ଦେଵି ? ଠିକ କଥାଟା ପଚାରିଛି l ମୋର ନାଁ ସ୍କୁଲ ରେ ଚନ୍ଦ୍ରମଣି ଥିଲା l ତେବେ ନାଟା କେମିତି ବଦଳି ହେଲା ଲେଖିଦେବି ଗପ ରେ l ସିଏ ଶିକ୍ଷୟତ୍ରୀ ,ତେଣୁ ସବୁ କଥା ନକହିଲେ ବି ବୁଝିଯିବ l ଆଉ ମୋର ଗପ ଲେଖି ଖୁସି ହେବାର ଇଛା ବି ପୁର୍ଣ ହେବ l

ମୋର ସାଙ୍ଗ ମାନଙ୍କ ନାଁ ଥିଲା ମଞ୍ଜୁଶ୍ରୀ , ହରିପ୍ରିୟା, ସରୋଜିନି , ରେଖା, କମଳିନୀ ଇତ୍ୟାଦି l ମୋ ନାଁ ଥିଲା ଚନ୍ଦ୍ରମଣି l ମୋ ନାଁ ପୁରୁଣା କାଳିଆ ନାଁ ହୋଇ ଥିବାରୁ ମତେ ଭାରି ରାଗ ଆଉ ଲାଜ ମାଡୁ ଥିଲା l ବାପା ମୋ ନାଁ ଚନ୍ଦ୍ରମା ରଖିବାକୁ ଠିକ କରିଥିଲେ l ମୋ ଉପର ଭଉଣୀ ନାଁ ଥିଲା ମନୋରମା l ମୁଁ ଚନ୍ଦ୍ର ଭାଗା ବୁଡ଼ ଯୋଉ ଦିନ ପଡେ ସେଇଦିନ ଜନ୍ମ ହୋଇଥିଲି l ତେଣୁ ଚନ୍ଦ୍ରମା ନାଁଟି ଦେବା ପାଇଁ ବାପା ଠିକ କରିଥିଲେ l ବାପା କୋର୍ଟ କାମରେ କଟକ ଯାଇଥିଲେ ମୋର ସ୍କୁଲରେ ନାଁ ଲେଖେଇବା ଦିନ l ତେଣୁ ଆମ ଜେଜେମା ମତେ ନେଇ ଗଲା ସାଇରେ ଥିବା ସ୍କୁଲରେ ନାଁ ଲେଖେଇବାକୁ ମୋର l ମାକୁ ହେଡମାଷ୍ଟ୍ର ପଚାରିଲେ ନାତୁଣୀ ନାଁ କଣ ? ମା ସବୁ କାହାଣୀ ଆରମ୍ଭ କଲା l ଏଇଟି ମା ଛେଉଣ୍ଡ ପିଲା l ତା ଜନ୍ମ ଯୋଗୁ "ମୁଁ ଚନ୍ଦ୍ରଭାଗା ବୁଡ଼ ସେ ବର୍ଷ ପକେଇ ପାରିଲିନି" l ଏବେ ତ ତାକୁ ପାଳିବାରେ ସବୁ ସମୟ ଯାଉଛି l ଚନ୍ଦ୍ରମଣି ତା ନାଁ ଲେଖ l ବାସ ସେଇ ଦିନ ଠାରୁ ମୋ ନାଁ ଚନ୍ଦ୍ରମଣି ହୋଇଗଲା l ତେବେ କେବେ କେବେ ବାପା ମତେ ଚନ୍ଦ୍ରମା ଡାକିବା ମୋର ମନେ ଅଛି l ସବୁବେଳେ ମୋ ନାଁ ଚନ୍ଦ୍ରମଣି ପୁରୁଣା କାଳିଆ ନାଁ ବୋଲି ଭାବେ , କିନ୍ତୁ ବଦଳି କରିବା ପାଇଁ କେବେ ବାପାଙ୍କୁ କହି ପାରିନଥିଲି ବା ବାପା ବି ସେ ବିଷୟରେ କିଛି କହି ନଥିଲେ l

 

ବାପା ମୋ ସାଙ୍ଗ ମାନଙ୍କ ବାପାଙ୍କ ଠାରୁ ବଡ଼ ଥିଲେ l ତେଣୁ ଆଧୁନିକ ନାଁ ଦେବା କଥା ବା ପୁରୁଣା କାଳିଆ ନାଁଟି ବଦଳେଇବାକୁ ଭାବି ନଥିଲେ l ମନ କଥା ମନ ରେ ରହିଗଲା l ଭାବିଲି ବାହାଘର ପରେ ନାଁଟା ବଦଳିଯିବ ମୋ ଶାଶୁ ଘରେ ଅବା l ତାଆବି ହେଲାନି l ମୋ ନାନୀର ଦିଅରଙ୍କ ସଂଗେ ମୋ ବାହାଘର ଠିକ ହେଲା l ତାଙ୍କ ଘରେ ସମସ୍ତେ ମତେ ପିଲାଦିନୁ ଜାଣିଥିଲେ l ସେଠି ମତେ ସମସ୍ତେ ଡାକ ନାଁ ଚନ୍ଦୁ ବୋଲି ଡାକିଲେ ଆଗପରି l ତେବେ ମୁମ୍ବଇ ଆସିଲା ପରେ ଆମ ସାଙ୍ଗ ମାନଙ୍କୁ ମୁଁ ମୋ ନାଁ ଚନ୍ଦ୍ରମା ବୋଲି କହିଲି l ସେଠି ଆମେ ପଂଜାବୀ କଲୋନୀରେ ଭଡ଼ାରେ ଥିଲୁ l ସେମାନଙ୍କ ମୁହଁରେ ଚନ୍ଦ୍ରମା କହିବା ଅସୁବିଧା ହେଉଥିଲା l ବେଳେ ବେଳେ କେତେଲୋକ "ଚନ୍ଦରମା" ବୋଲି ଡାକିବାରୁ ଭାରି ଖରାପ ଲାଗୁଥିଲା l ଯାହେଉ ମୋର ଡାକ ନାଁ ଚନ୍ଦୁ ସହଜ ବୋଲି ସେଇ ନାଁରେ ମତେ ଡାକିବାକୁ କହିଲି l ଚନ୍ଦୁନାଁଟା ସୁଵିଧା ହେବ ସମସ୍ତଙ୍କୁ ଡାକିବା ପାଇଁ ବୋଲି ଭାବିନେଲି l ଥରେ ,ଦୁଇଥର କହିଛି ସୁଧାଂଶୁଙ୍କୁ ମୋ ନାଁଟା ପୂରୁଣା କାଳର ନାଁ ବୋଲି l ସବୁବେଳେ ସିଏ କହନ୍ତି , ନାଁ ରେ କଣ ଅଛି ? ସୁବିଧା ହେଲେ ବଦଳି କରିଦେବା l

 

କିଛି ଦିନ ପରେ ସୁଧାଂଶୁ ବାହାରକୁ ଆସିବାକୁ ଠିକ କଲେ l ଇମ୍ମିଗ୍ରେସନ ନେଇ ଆମେରିକାକୁ ଆସିବାକୁ, ବହୁତ ଫର୍ମ ସମ୍ପୂର୍ଣ୍ଣ କରିବାକୁ ପଡିଲା l ସେତେବେଳେ ପୁଣି ମୋ ନାଟା ଚନ୍ଦ୍ରମଣି ବୋଲି ଦେଖିଲି କାଗଜରେ l ମନେ ମନେ ମା ଉପରେ ପୁଣି ଚିଡ଼ିଲି l ଅପେକ୍ଷ୍ୟା କରିଥାଆନ୍ତା ସିନା ବାପାଙ୍କ ଫେରିବା ପର୍ଯ୍ୟନ୍ତ? ଯା ହେଉ ମା ଛେଉଣ୍ଡ ପିଲା ପାଇଁ ମା ବହୁତ କିଛି କରିଛି l ତା ଉପରେ ରାଗିବା ଅନୁଚିତ ବୋଲି ଭାବିଲି l

 

ଆମେ ଆମେରିକା ଆସିବାର କିଛି ବର୍ଷ ପରେ ସୁଧାଂଶୁ ଏଠିକା ନାଗରିକତ୍ୱ ଲାଭ ପାଇଁ ପ୍ରୟୋଗ କଲେ lମୁଁ ଏଠି କଲେଜ କୁ ଯିବା ଆରମ୍ଭ କରିଥାଏ l ସବୁଠି ଏଠିକା ଲୋକଙ୍କୁ ଚନ୍ଦୁ ଡାକିବା ପାଇଁ ଅସୁବିଧା ହେଉଥାଏ l କିଏ ଛଂଡୁ , ଚରଃନ୍ଦୁ ଡାକିବା ଆରମ୍ଭ କରିଥିଲେ l ଯେତେ ଚେଷ୍ଟା କଲେବି ରାଗ ଆସିଯାଏ ଆପେ, ଆପେ ମୋ ନାଁ ଶୁଣି l ପୁଣି ଚୁପ ହୋଇଯାଏ l ସେତେବେଳେ ଅକ୍ଷୟ ମହାନ୍ତି ଙ୍କର ଗୀତ "ନଦୀର ନାମ ଅଳସ କନ୍ୟା ତୀରର ନାମ ତନ୍ଦ୍ରା , ଗ୍ରାମର ନାମ ସ୍ଵପ୍ଣପୁରୀ ପ୍ରିୟାର ନାମ ଚନ୍ଦ୍ରା" ଗୀତ ଟା ଭାରି ଚାଲିଥାଏ l ମତେ ସେ ଗୀତ ଟା ଭାରି ଭଲ ଲାଗୁ ଥାଏ l ବେଳେ, ବେଳେ ଗାଉବି ଥିଲି ଗୀତଟି l ଗୀତ ଶୁଣିଲା ବେଳେ କେବେ କେବେ ଭାବେ ମୋ ନାଁ ଟା ଚନ୍ଦ୍ରା ହୋଇଥାଆନ୍ତାକି? ଚନ୍ଦ୍ରମଣି ଠାରୁ ଚନ୍ଦ୍ରା ନାଁଟା କେତେ ସୁନ୍ଦର ଆଉ ଆଧୁନିକ ବି ?

 

ଜାନୁଆରୀ ୧୯୮୩ ମସିହା ୧୩ ତାରିଖ ଦିନ ଆମକୁ ଡକରା ଆସିଲା ଏଠିକା ନାଗରିକ ହେଵା ପାଇଁ ଇଣ୍ଟରଭିଉ ଦେବା ପାଇଁ l ଆମେ ସମସ୍ତେ ମୁଁ , ସୁଧାଂଶୁ , ମୋ ଝିଅ ଆଉ ବଡ଼ ପୁଅ ସକାଳୁ ତିଆରି ହୋଇ ସହରକୁ ଗାଡ଼ିରେ ଗଲୁ l କେତେ ସମୟ ବସିଲା ପରେ ଆମକୁ ଜଣ, ଜଣ କରି ଅଲଗା , ଅଲଗା ଡକରା ଆସିଲା ଭିତରକୁ ଯାଇ କହିବା ପାଇଁ ଆମର ଏଇ ଦେଶରେ ନାଗରିକ ହେବାର କାରଣ ଓ ଉଦ୍ବେଶ l ମୁଁ ଭାବିଲି ପିଲାମାନେ ଆମ ସାଙ୍ଗରେ ଯିବେ ବୋଲି l Judge କହିଲେ, ନା ପିଲାମାନେ ନିଜ ମତ ଦେବେ କାରଣ ସେମାନେ କଥା କହି ପାରୁଛନ୍ତି ଓ ସ୍କୁଲ ଯାଉଥିଲେ l ସେ ଦିନଠୁ ଜାଣିଲି ଏଠି ସମସ୍ତେ ସ୍ବତନ୍ତ୍ର କିଛି ବର୍ଷ ହେଲା ପରେ l ମୁଁ ,ମା ବୋଲି ଯାହା କହିବି ତାହା ପିଲାମାନେ କରିବେ ସେ ଅଧିକାର ଚାଲିବ ନାହିଁ l ସେ ଗପ ବିଷୟରେ ଆଉ କେବେ ଲେଖିବି l

 

ମୋର ନାଁ ଡ଼କା ହେଲା l ମୁଁ ଯାଇ ଚୌକିରେ ବସିଲି l ମତେ judge ପଚାରିଲେ ତୁମର ପ୍ରଥମ ନାଁ ଚନ୍ଦ୍ରା ଆଉ ମଧ୍ୟମ ନାଁ ମଣି l ମୁଁ କାବା ହୋଇ ଭାବିଲି ସିଏ କେମିତି ଜାଣିଲେ ମତେ ଚନ୍ଦ୍ରା ନାଁ ଟା ଭଲ ଲାଗେ ? ସୁଧାଂଶୁ ମୋର ମନ କଥା ଜାଣିଥିଲେ ଯେ ମତେ ଚନ୍ଦ୍ରମଣି ନାଁଟା ପୁରୁଣା କାଳିଆ ନାଁ ବୋଲି ଭଲ ଲାଗେନି l ଫର୍ମ ଭର୍ତି କଲା ବେଳେ ସିଏ ମୋ ନାଁ ଚନ୍ଦ୍ରା (First name ) ଆଉ ମଣି (middle name ) ରେ ଲେଖିଥିଲେ l ମୁଁ ଦେଖି ନଥିଲି ଠିକରେ ଏ ସବୁ ଫର୍ମ l ମୁଁ କହିଲି ହଁ ଆଂଜ୍ଞା , ମୋର ନାଁ ଆପଣ ଠିକ କହିଛନ୍ତି l ଚନ୍ଦ୍ରା , ଚନ୍ଦ୍ରା ବୋଲି ଦୁଇଥର ମନକୁ ମନ କହିଦେଲି l

 

ବାହାରକୁ ଆସିଲା ପରେ ସୁଧାଂଶୁଙ୍କୁ ଅନେଇ ଖୁସିରେ କହିଲି ଜାଣିଛ, ମୋର ପ୍ରଥମ ନାଁ "ଚନ୍ଦ୍ରା" ଲେଖା ହେବ ଏଥର, ଆଉ "ମଣି" ମଧ୍ୟ ନାଁ ! ଅଳ୍ପ କଥା କହିବା ଲୋକ ସୁଧାଂଶୁ କହିଲେ ହଁ, ସେଇଆ ମୁଁ ଫର୍ମରେ ଲେଖିଥିଲି l ମନେ, ମନେ ଭାବିଲି ସତରେ ମୋର ମନ କଥା ସିଏ ବୁଝି ପାରନ୍ତି ଆଉ ଚୁପକିନା ଯାହା କରିବା କଥା କରିବି ଦିଅନ୍ତି l ମୋ ଭଳିଆ ବକ, ବକ ହେବା ଲୋକ ନୁହନ୍ତି l ଚନ୍ଦ୍ରା ନାଁ ଟା ମତେ ଭଲ ଲାଗେ ଓ ଏଠି ସମସ୍ତେ Sandra ଭଳି ଉଚ୍ଚାରଣ କରି ସହଜରେ ମତେ ଡାକି ବି ପାରନ୍ତି l

 

ମୋର ପ୍ରିୟ ସାଙ୍ଗ, ମୋଠୁ ମଣି କୁଆଡେ ଯାଇନି l ମୋର ନାଁ ରେ ମଧ୍ୟମ ନାଁ ମଣି ବୋଲି ରହିଛି l ଖାଲି ମୁଁ ଚନ୍ଦ୍ରମଣି ରୁ ଚନ୍ଦ୍ରା ହୋଇଛି ପ୍ରଥମ ନାଁ ରେ l ଆଶା ମୋ ଗପ ପଢି ସିଏ ବୁହେ ହସିବ ଆଉ କହିବ, ତୋର ପିଲାଳିଆ ଅଭ୍ୟାସ କେବେ ସରିବ? ମୁଁ କହିବି ସ୍ୱର୍ଗ ଦୁଆରେ l

 

ଲେଖିକା ଚନ୍ଦ୍ରା ମିଶ୍ର ଫିଲାଡେଲ୍ଫିଆରେ ରହନ୍ତି l ନିଜର ଅନୁଭୂତି ନେଇ ସେଥିରେ ଭାବନାର ରଙ୍ଗ ଲଗାଇ ସିଏ ଗଳ୍ପଟିଏ ସୃଷ୍ଟି କରନ୍ତି l  ପାଠକ ଆଉ ପାଠିକା  ମାନଙ୍କୁ  ସେଇ ଗଳ୍ପ ଉପହାର ଭାବେ ଦେବା ପାଇଁ ପ୍ରୟାସ କରନ୍ତି l

Be the first to comment

Leave a Reply

Your email address will not be published.


*