Message from the OSA President – Fall 2020

ଓସା ପରିବାରକୁ ଶାରଦୀୟ ଶୁଭେଚ୍ଛା ଓ ଅଭିନନ୍ଦନ

କୁକୁ ଦାସ: ଓସା ସଭାପତି

 

ଓସା ପରିବାରକୁ ମୋର ଶାରଦୀୟ ଅଭିନନ୍ଦନ ।  ଦୁଇହଜାରକୋଡ଼ିଏ ମସିହାଟି  ଓସା ଇତିହାସରେ ଲିପିବଦ୍ଧ ହୋଇ ରହିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ନୂଆ ବର୍ଷ ଆରମ୍ଭ ହୋଇଥିଲା ବହୁ ଆଶା ଓ ସ୍ବପ୍ନକୁ ନେଇ।  ବହୁତ କିଛି କରିବାର ଯୋଜନା ଓ ଆୟୋଜନ ମଧ୍ୟ ଚାଲିଥିଲା । ସମସ୍ତଙ୍କ ମନରେ ଥିଲା ଦ୍ଵନ୍ଦ । କିନ୍ତୁ ବିଧିର ବିଧାନ ଥିଲା ଅଲଗା। କଥାରେ ଅଛି ମନ ଥିଲେ ଉପାୟ ବଳେ ବଳେ ଆସେ । ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଓସାର ସଭ୍ୟମନେ ଦୁରେଇ ଯିବା ବଦଳରେ ଆହୁରି ନିକଟେଇ ଆସିଲେ । ଓସା ପରିବାରର ସମ୍ପର୍କ ହେଲା ନିବିଡ଼ ।

ଚାଲନ୍ତୁ ସମୟଚକ୍ରରେ ଗୋଟିଏ ବର୍ଷ ପଛକୁ ଯିବା। ଏକ ଭବ୍ୟ ସମାରୋହ ଭିତରେ ଆୟୋଜନ ହେଇଥିଲା ଓସାର ପଚାଶତମ ଜନ୍ମ ବାର୍ଷିକୀ ।ପଚାଶ ବର୍ଷ ଚାଲିଯାଇଛି, ଆଗତ ପଚାଶ ବର୍ଷର ଆରମ୍ଭ।  ଓସାର ପଚାଶ ବର୍ଷର ଇତିହାସକୁ ରୋମନ୍ଥନ କରିବାର ସମୟ। କଣ ପାଇଛେ ଆଉ କଣ ହଜେଇଛେ । ସମସ୍ତଙ୍କ ମନରେ ନୂତନ ଆଶା , କିଛି ନୂଆ କରିବାର ଆଗ୍ରହ।  ତିନିଜଣ ସହକର୍ମୀଙ୍କ ସହିତ ମିଶି ଦାୟିତ୍ବ  ଗ୍ରହଣ କଲି । ଏହି ଯାତ୍ରାରେ ଆଗକୁ ଯିବାକୁ ସମ୍ବଳ ଥିଲା ଅସୁମାରୀ ସ୍ବପ୍ନ, ଓସା ଅନୁଷ୍ଠାନ ପାଇଁ କିଛି କରିବାର ଅଦମ୍ୟ ଇଛା, ଆଉ ଦୃଢ ମନୋବଳ । ସମ୍ପର୍କ, ସଂସ୍କୃତି ଓ ସଂହତିକୁ ଆଖିରେ ରଖି ଆମେ ଆମର ମୂଳ ମନ୍ତ୍ର ରଖିଲୁ ତାଳମେଳ, ପ୍ରଯୁକ୍ତି ଓ ସଶକ୍ତିକରଣ ।

ଆଜି ତିନିଶହପଞ୍ଚସଠି ଦିନର ଏ ଯାତ୍ରା ପରେ କିଛିପାଦ ଆଗକୁ ଆସିଛୁ ତ ନିଶ୍ଚୟ। Connect, Outreach, Youth engagement ଆଉ OSA 2.0 ଜରିଆରେ ଲକ୍ଷସ୍ଥଳୀ ରେ ପହଞ୍ଚିବାରେ ସକ୍ଷମ ହେଇଛୁ । Connect ମାଧ୍ୟମରେ ଓସାର ବରିଷ୍ଠ ସଦସ୍ୟ ମାନଙ୍କ ସାଥିରେ ସମ୍ପର୍କକୁ ମନେ ପକେଇଛୁ । ଯେଉଁ ମାନଙ୍କ ପରିଶ୍ରମରେ ଓସା ଆଜି ପଚାଶ ବର୍ଷ ରେ ପହଞ୍ଚିଛି, ତାଙ୍କ ସ୍ମୃତିଚାରଣ କରି ତାଙ୍କୁ କୃତଜ୍ଞତା ଜଣେଇଛୁ । ତାଙ୍କରି ପାଖରୁ ଏ ଅନୁଷ୍ଠାନ ର ଇତିହାସକୁ ଜାଣି ତାକୁ ଆମର ଦ୍ଵିତୀୟ ପିଢ଼ି ପାଖରେ ପହଞ୍ଚେଇବାର ପ୍ରୟାସ କରିଛୁ । Outreach ର ଅନ୍ୟ ଗୋଟିଏ ଅବଦାନ ହେଉଛି OSA Health & Wellness Group।ଏଠାରେ ଥିବା ଡାକ୍ତର ଭାଇ ଭଉଣୀଙ୍କ ସାହାଯ୍ୟରେ ଓସା ର ସଦସ୍ୟ ତଥା ଏଠାରେ ବସବାସ କରୁଥିବା ଓଡ଼ିଆ ମାନଙ୍କ ପାଇଁ ଉପଲବ୍ଧି ହେଇଛି ଜରୁରୀକାଳୀନ ସାହାଯ୍ୟ । ଆଉ ଗୋଟିଏ ପ୍ରୟାସ ଥିଲା ଓସା ମହୋତ୍ସବ ଦୁଇହଜାର ଉଣିଶି।  ଏହି ମହୋତ୍ସବର ମୁଖ୍ୟ ପ୍ରସଙ୍ଗ ଥିଲା ସର୍ବସାଧାରଣ ପାଠାଗାର ପ୍ରକଳ୍ପ ତଥା ଉଭୟ ଗୋଲାର୍ଦ୍ଧର ଓଡ଼ିଆ ମାନଙ୍କ ଭିତରେ ଥିବା ସମ୍ପର୍କ ର ସେତୁକୁ ସୁଦୃଢ କରିବା।  ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ଗୁଡ଼ିକ ଥିଲା ଓସା ସର୍ବସାଧାରଣ ପାଠାଗାର ପ୍ରକଳ୍ପ, ବ୍ୟବସାୟିକ ସହଭାଗିତା, ଓସାର ଗଠନମୂଳକ ପ୍ରକଳ୍ପ ସମୂହ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ।

ଏହି ମହୋତ୍ସବରେ ସମ୍ମାନନୀୟ ମନ୍ତ୍ରୀ, ବରିଷ୍ଠ ସଚିବ, ବୁଦ୍ଧିଜୀବି, ଲେଖକ, ଜନନାୟକ, ଶିଳ୍ପୀ, ପ୍ରଭୃତି ଯୋଗଦାନ କରି ଏହି ମହୋତ୍ସବକୁ  ଆହୁରି ମନୋରମ କରିବା ସଙ୍ଗେ ସଙ୍ଗେ ଏହାର  ପ୍ରାଧାନ୍ୟତା ବଢ଼ାଇ ଥିଲେ । ତିନିଶହରୁ ଅଧିକ ଲୋକ ଉପସ୍ଥିତ ରହି କର୍ମକର୍ତ୍ତା ମାନଙ୍କର ମନୋବଳକୁ ଆହୁରି ସୁଦୃଢ କରାଇଥିଲେ l

ଗତ ବର୍ଷ ଫଣୀ ମହାବାତ୍ୟା ବେଳେ ଓସା ତରଫରୁ ଓଡ଼ିଶା ରାଜ୍ୟ ସରକାରଙ୍କର ରିଲିଫ ପାଣ୍ଠି କୁ ଦାନ କରିଥିଲେ ଆମେରିକା ରେ ଥିବା ବହୁ ଓଡିଆ ଭାଇ ଭଉଣୀ ମାନେ।   ଓସା ର ପୂର୍ବ କର୍ମକର୍ତ୍ତା ଙ୍କ ଉଦ୍ୟମ ଥିଲା ପ୍ରଶଂସନୀୟ ।  କିନ୍ତୁ ବାକି ରହିଯାଇଥିଲା ଅନେକ ଅତୁଟା କାମ । ସେଗୁଡିକୁ ଆଗେଇ ନବାକୁ ଆମ ପ୍ରୟାସ ଜାରି ରହିଛି ।  ଗତ ମେ ମାସରେ ବନ୍ଦେ ଭାରତ ମିସନର ସହାୟତା ରେ ଓସା  ଶହେ ପଚାଶ ଜଣ ଯାତ୍ରୀ ଙ୍କୁ ଦେଶରେ ପହଞ୍ଚେଇବାରେ ସାହାଯ୍ୟ କରିଥିଲା ।

Youth Engagement: ଓସା ସହିତ ଯୁବପିଢି କୁ ସମ୍ପୃକ୍ତ କରି ରଖିବା ପାଇଁ  ସର୍ବଦା ପ୍ରୟାସ ଜାରି ରହିଛି ।  ଓସାର ପଚାଶ ବର୍ଷ ର ଇତିହାସ ରେ ଏ ମହତ୍ୱପୂର୍ଣ୍ଣ ବିଷୟ ଉପରେ ହେଇଛି ଅନେକବାର ଚର୍ଚ୍ଚା ଏବଂ ଆଲୋଚନା । ଏହି ବର୍ଷ ଯୁବ ସଶକ୍ତିକରଣ ପାଇଁ ନେଇଛୁ ଏକ ନୂତନ ପଦକ୍ଷପ।  ପିଲାଟି ଦିନରୁ ଓସା ସହିତ ସମ୍ପର୍କ ସ୍ଥାପନ ପାଇଁ ଆରମ୍ଭ ହେଇଛି Let’s Learn Odia ତରଫରୁ   ଅନଲାଇନ ଓଡିଆ କ୍ଳାସ ।  ପ୍ରାୟ ଅଶି ପାଖାପାଖି  (ଚାରି ବର୍ଷରୁ  ଷୋହଳ ବର୍ଷ) ର ପିଲାମାନେ ଅନଲାଇନ ମାଧ୍ୟମରେ ଓଡିଆ ଲେଖିବା, ପଢିବା ଏବଂ କହିବା ଶିଖୁଛନ୍ତି ।  କେବଳ ସେତିକି ନୁହେଁ ଓଡ଼ିଶାର ସଂସ୍କୃତି, କଳା  ଭାସ୍କର୍ଜ୍ୟ ଏବଂ ଐତିହ୍ୟ  ଉପରେ ଅବଗତ କରାଯାଉଛି ସେମାନଙ୍କୁ ।  ଯୁବଗୋଷ୍ଠୀ ଯୋଡି ହେଇଛନ୍ତି ବିଭିନ୍ନ ସେମିଆର, ସାଂସ୍କୃତିକ କାର୍ଯକ୍ରମ ମାଧ୍ୟମରେ । ଦ୍ବିତୀୟ ପିଢୀକୁ ନେଇ ଦେଖିଥିବା ସ୍ବପ୍ନର ଓସା ଯେ ବେଶୀ ଦୂର ନୁହେଁ, ତା’ କହିବା ଅତ୍ୟୁକ୍ତି ହେବନି ।

ବର୍ତ୍ତମାନ ଆସିବା ଓସା 2.0 କୁ । ଓସା  website ର ଅଧୁନିକରଣ କରିବା ପାଇଁ ଚାଲିଛି ପ୍ରୟାସ । ବିଭିନ୍ନ ସୋସିଆଲ ମିଡିଆରେ ଓସା ବ୍ରାଣ୍ଡ କୁ ବଜାୟ ରଖିବା ପାଇଁ ବହୁ ଉଦ୍ୟମ ଚାଲିଛି । ଓସା ତ୍ରୈମାସିକ ପତ୍ରିକା ଉତ୍କର୍ଷ ର ଆଧୁନିକରଣ ହେଇଛି। ଜୁମ୍ ମାଧ୍ୟମରେ ଅନେକ ଶିକ୍ଷା ଓ ସୂଚନାମୂଳକ କାର୍ଯ୍ୟକ୍ରମ କରାହେଇଛି ।

ମୋଟାମୋଟି ଭାବରେ ଗୋଟିଏ ଅନୁଷ୍ଠାନ ର କିପରି ସର୍ବାଙ୍ଗୀନ ବିକାଶ ହେବ, ଏଠାରେ ଥିବା ସଭ୍ୟମାନେ ଆହୁରୁ ଅଧିକ କିପରି ଉପକୃତ ହେବେ, ସେହି ବିଷୟରେ ପ୍ରଯତ୍ନ ନିଆଯାଉଛି । ଅନୁଷ୍ଠାନଟିର ବିକାଶ କେବଳ ନିର୍ବାଚିତ କର୍ମୀ ମାନଙ୍କର ନୁହେଁ, ସମସ୍ତ ସଭ୍ୟମାନଙ୍କ ଦାୟିତ୍ବ ହେବା ଉଚିତ । ହାତ ରେ ହାତ , କାନ୍ଧ ରେ କାନ୍ଧ ମିଶାଇ ଯେତିକି ଆମେ କାମ କରିବା , ଓସା ହେବ ସେତିକି ସୁଦୃଢ । ବିଶ୍ଵବ୍ୟାପୀ ଏ ମହାମାରୀ ଆମକୁ ବଡ ଚେତାବନୀ ଦେଇଛି ନିଶ୍ଚୟ । ଆମେ ଯିଏ  ହେଉ, ଯେଉଁଠି ଥାଉ , ଆଜି ଆମେ ସମସ୍ତେ ସମାନ। ମୁଁ, ମୋତେ, ମୋର କୁ ଛାଡ଼ି ଆମେ , ଆମର କୁ ଆପଣାଇବା ବେଳ ଆସିଛି । ଏକତାରେ ବଳ । ସେଥିରେ ହେବ ସମସ୍ତଙ୍କର ମଙ୍ଗଳ ।

ପରିଶେଷରେ ଏତିକି ଅଭିମତ ରଖିବି ଯେ ଓସାର ଏକତା ଓ ବିକାଶକୁ ନେଇ ମୁଁ ଯେଉଁ ସ୍ବପ୍ନର ଇଂଦ୍ରଧନୁ ଦେଖିଥିଲି, ସେଥିରେ ଏଇ ବର୍ଷଟିରେ ବହୁରଙ୍ଗ ଭରିଛି। ମୋ ସହକର୍ମୀ ମାନଙ୍କ ସହଯୋଗ ପାଇଁ ଆଜି ମୁଁ ବହୁତ ଗର୍ବିତ । ମୋ ଉପରେ ଥିବା ଆପଣଙ୍କର ଗଭୀର ବିଶ୍ବାସକୁ ମୋର ଶତ ପ୍ରଣାମ । ବିନା ସର୍ତ୍ତରେ ଦେଇଥିବା ସ୍ନେହ, ଶ୍ରଦ୍ଧା ଏବଂ ଆଶୀର୍ବାଦ ପାଇଁ ମୁଁ ଆପଣଙ୍କ ପାଖରେ ଚୀରକୃତଜ୍ଞ । ଆପଣଙ୍କର ଶୁଭକାଂକ୍ଷା ସାଥିରେ ଥିଲେ ଆମକୁ ଆଗକୁ ଯିବାକୁ  ଅନେକ ସହଜ ହେବ।

 

ସର୍ବେ ଭଵନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟାଃ । ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ, ମା କଶ୍ଚିତ ଦୁଖଃଭାଗ ଭବେତ।

ଓଁ ଶାନ୍ତିଃ ,ଶାନ୍ତିଃ, ଶାନ୍ତିଃ

Be the first to comment

Leave a Reply

Your email address will not be published.


*