କଥୀକୃତ…କଥାଟିଏ

ଫଗୁଣ

ଏଇ ଫଗୁଣ; କେତେ ରଙ୍ଗ, କେତେ ପ୍ରେମ, କେତେ ସପନ ଆଉ କେତେ ମରମର ସାକ୍ଷୀ। ଏଣୁ ତମ ଥାଳିରେ ପକେଇବିନି କି ମୋ ତାଟିଆରୁ ଉଠେଇବିନି । ତା ନାଆଁଟା କହି ତାର ପଦୁଅଁ ପତରରେ ଢଳଢଳ ହେଉଥିବା ପବିତ୍ର ପାଣି ମୁନ୍ଦାଏ ପରି ନିଷ୍କଳଙ୍କ ଚରିତ୍ରଟାକୁ ଜହ୍ନଭଳି ଦାଗଟେ ଲଗେଇବାକୁ ଦେବିନି। ଏଣୁ ତମକୁ ମୋ ରାଣ ରହିଲା, ନାଁ ପଚାରି ମୋତେ ଧରମ ସଙ୍କଟରେ ପକେଇବନିଟି। ହେଲେ କଥାଟି ଯେତେବେଳେ ଗୁମରର; ନକହିଲେ ହେବନି କି ? ହୁଏତ ଆପଣ ଏଇପରି ଭାବୁଥିବେ। ଯେତେବେଳେ ସବୁ ଶୁଦ୍ଧ ସୁବର୍ଣ୍ଣ ଆଉ ଛଳଛଳ ସତ ସେତେବେଳେ ସେଥିରେ ଆଉ ଦୋଷ ବା କେଉଁଠୁ ରହିଲା।

ଏତେ ସ୍ମୃତି, ଏତେ ପ୍ରୀତି, ଏତେ ସବୁ ଢେର୍‌ କରି ଗଦେଇ ଦେଲେ ସାହିତ୍ୟପ୍ରେମୀ ସବୁ ମୋ ପାଇଁ। ସେଇ ସ୍ମୃତିର କୁଢ଼ ଭିତରୁ ସାଉଁଟି ଆଣିଲି ଏଇ କଥାଟି ଆପଣଙ୍କ ପାଇଁ । ଏହାର ପୂର୍ବାପର ସବୁ ଅଛି, ଅଲ୍‌ବତ୍‌ ରହିଛି। ଯେତିକି ଓଡ଼ିଆ ଜାଣିଛି; ସେତିକିରେ ମୋ ଭାବ କୁ ଆପଣଙ୍କ ଭଳି ଭାଇ-ବନ୍ଧୁ-କୁଟୁମ୍ବଙ୍କ ଆଗରେ ବାଢ଼ି ଦେଉଛି। ଭାବବ୍ରହ୍ମ ଇଏ; ନିଛକ ସତକଥା। ରାମି ଟିକିଏ ବି ନାଇଁ। ସହରିଆ କଥା ହୋଇଥିଲେ କିଛି ଚକ୍‌ମକିଆ ହେଇଥାନ୍ତା ବୋଧେ; ହେଲେ ଗୋଟିଏ ଛୋଟ ଗାଁ ଚଉହଦୀର କଥା। ଗୋଳିଆ ବଢ଼ି ନଈପାଣି ହେଉ ବା ନିରିମଳ ବୋଡ଼ା ପାଣି ହେଉ, ଆମ୍ବ ପଣସ ବେଢ଼ା ବନ୍ଧନାଳ ହେଉ ବା ନଡ଼ିଆ ଇଟିମଳା ଗଛରେ ଭରା ବାରିସାଇ ହେଉ, ବୁଢ଼ାବନ୍ଧର ମାଟିବନ୍ଧ ହେଉ ବା ବାରିବନ୍ଧର ଚବକୋଉ ଥିବା ଶେଉଳ ମାଛ ହେଉ; ଏଇ ସମସ୍ତଙ୍କ ସହ ବୁଲିବଢ଼ି ଏଇ କଥାକୁ ଅଙ୍ଗେ ନିଭେଇଛି। ତାକୁହିଁ ଲେଖୁଛି।

ପିଲାଦିନୁ ମୁଁ ଭାବେ ରାସ୍ତାର ମଝିର ଗୋଟିଏ ବାମ ଅଛି ଆଉ ବାମର ବି ଗୋଟିଏ ବାମ ଅଛି; କେଉଁଠି ଚାଲିବା ଠିକ୍‌ ହେବ! ଆମ୍ବ ଗଛରେ ଦେଖେ, ବଜାରରେ ଦେଖେ, ଘରେ ଦେଖେ; ହେଲେ ଗଛ ଉପରେ ଚଢ଼ି, ଡେମ୍ଫଲଗା ନସା ନିଗିଡ଼ା ସେଇ ଆମ୍ବଟାକୁ ଯେତେବେଳେ ଏଣୁ ଫଗୁଣ ମୋ କଡ଼ରେ ଥିଲେ ମୋତେ ବୃନ୍ଦାବନ ଆଉ କତିରେ ନଥିଲେ ଚାରିଧାମ ପ୍ରାୟେକ ଅନୁଭୂତ ହେଉଥିଲା। ଯଉବନର ଅୟମାରମ୍ଭରେ ଏଇ ଫଗୁଣ ସାଥିରେ ଫଗୁ ସହ ମିଳନ ହୋଇଥିଲା। ଦେଖାଦେଖି ତ ପିଲାଦିନୁ ଥିଲା । ହେଲେ ଯେତେବେଳେ ତାର ମୁହଁରେ ଫଗୁହାତଟିଏ ବୋଳି ଦେଲି; ମୋ ହାତଟା ଗରମରେ ଜଳିଗଲା ପରି ଲାଗିଲା ଆଉ ସେତେବେଳେ ତା ମୁହଁଟା ଝଟକି ଉଠିଲା। ମାଟି ଆମ୍ପୁଡ଼ିଲା ପରେ ସତେ ଯେପରି ରତ୍ନହାଣ୍ଡିଟିଏ ଦିଶିଗଲା। ସିଏ ସିନା ଆଖି ମୁଦିଦେଲା ଭୟରେ, କାଳେ ତା ଆଖିରେ ଅବିର ସବୁ ପଶିଯିବ ବୋଲି। ହେଲେ ମୋ ଆଖିଦିଟା ଖୋଲା ରହିଗଲା। ମୁହୂର୍ତ୍ତଟେ ପାଇଁ ସବୁ ତୋରା ଦିଶିଲା ମତେ। ସବୁ ରଙ୍ଗ ଯେପରି ଏକାକାର ହୋଇଯାଇଛନ୍ତି ତା ମୁହଁରେ। ଫେରିଲି ବାସ୍ତବତାକୁ , ଯେତେବେଳେ ଫଗୁଣ କହିଲା,
:ବୁଲୁ ଭାଇନା, ସରିଲା ନା ଆହୁରି ଅଛି
ମୁଁ କହିଲି,
:ସରିଲା କେଉଁଠି, ଏଇତ ପ୍ରାରମ୍ଭ । ଆଜି ପରା ହୋଲି ଲୋ। ଏତେ ସହଜରେ କଣ ସରିବ।
ରନ୍ଧାଘରୁ ମାଇଁ କହିଲେ,
:ହଇଓ ପୁଅ, ତା ଦିହରେ ତାତି ଖଇ ଫୁଟୋଉଛି। ହେଲେ ତମେ କୁଆଡ଼େ ଅମଙ୍ଗ ହେବ ବୋଲି ସେ ପରା ଆସି ଠିଆ ହେଲା। ଏବେ ବୁଝି ପାରିଲି ମୋ ହାତ କାହିଁକି ଗରମ ଲାଗୁଥିଲା, ଫଗୁଣ ମୁହଁରେ ଅବିର ବୋଳିଲା ବେଳେ।

ତା ଆଖି ଉପରୁ ଫଗୁ ଝାଡ଼ିଦେଇ, ତାକୁ ଆଖି ଖୋଲିବାକୁ କହିଲି। ଗାଁ ଦାଣ୍ଡ ଉପରେ ଧିରେଧିରେ ସୁରୁଯର କିରଣ ସଳଖି ହେଲା ପରି ତାର ଆଖି ଖୋଲିଲା। ତାର ଆଖି ଧାରରୁ ଫଗୁ ସବୁ ଝଡ଼ିଲା ବେଳକୁ ମନେ ହେଉଥିଲା ଯେପରି ସେଇ ସୁରୁଯର ଆଲୁଅରେ ପକ୍ଷୀସମୂହ ଉଡ଼ି ଯାଉଛନ୍ତି କାକଳୀ ନିନାଦରେ। ଏଇମିତି ହୁଏ ମ; ସେ ମୁହୂର୍ତ୍ତରେ। ଦିନବେଳେ ତାରା ବି ଦିଶନ୍ତି ଆଉ ରାତିଟା ଗୋଟିଏ ଟିପାଖାତା ଭଳି ଲାଗେ। ଏଇମିତି ହୋଇଥିଲେ , ସେଇମିତି ହୋଇଥାନ୍ତା। ଫଗୁଣ ଏଇମିତି କହିଥିଲେ ମୁଁ ସେଇମିତି ବୁଝେଇ ଥାନ୍ତି। ଏଇମିତି କେତେ କଣ।
ସେ ଆଖିଖୋଲି ସାରି କହିଲା ।
:ଏବେ ଯିବି, ମୁହଁ ଧୋଇବିତ।
ମୁଁ କହିଲି,
:ମୋତେ ଟିକେ କହିଲୁନି…ତୋ ଦିହ ଖରାପ ବୋଲି। ଏମିତି କଣ ?

ସେ ହସି ଦେଲା । ଆହା ମଧୁମାସ ଖେଳିଗଲା ସେଇ ଅଗଣାରେ। ବୁଝିଲେ ପାଠକେ… ମୁଁ କହିଲି ପରା, ଏଇମିତି ହୁଏ। ନେପଥ୍ୟରେ ନଶୁଣିଥିବା ଆଉ ନଜାଣିବା ବାଦ୍ୟସଙ୍ଗୀତ ବାଜି ଉଠେ। ମନ ତୁହାଇ ତୁହାଇ ମୋତେ ବୁଝାଉଥାଏ,

ହେ ତୁ ତୁନି ରହମ। ତାକୁ ଅଟକିବାକୁ ଦେନା । ସିଏ କହୁ। କହୁ ଦିପଦ। ଏଇତ ଆଜିର ଟିପାଖାତା ପାଇଁ ଭାବିବାର ପ୍ରସଙ୍ଗ। ସାଉଁଟିନେ ଯାହା ପାଉଛୁ। କିଏ ଜାଣେ ଏ ଘଡ଼ି ଆଉ ଆସିବ କି ନାହିଁ। ଯଦି ଆସିବ, କିଏ ଜାଣେ କେଉଁ ପରିସ୍ଥିତିରେ ଆସିବ।

ଏଣୁ ଅଗତ୍ୟା ଶୁଣିଲି ତାକଥା। ହଁ କଣ ହେଲାଟି। ହଁ ସେ ହସି ଦେଲା। ଆଉ କହିଲା,
:ମୋ ଦିହ ତାତିରେ ଖଇ ଫୁଟୁ କି ନଫୁଟୁ, ତୁ କଣ ଶୁଣିବା ଲୋକ ନା ବୁଝିବା ଲୋକ। ଝଡ଼ଟାଏ ତୁ; ବୁଝିବା ପୂର୍ବରୁ ରାଗ ଅଭିମାନରେ ବରଷି ପଡ଼ିବୁ। ଏଣୁ, ତୋର ଆଜିର ପରା ଦିନଟାକୁ ମୁଁ କିଆଁ ବରବାଦ କରିଥାନ୍ତି କହିଲୁ !

ମୋତେ ସ୍ତବ୍‌ଧ କରିଦେଲା ଏଇ କେତେ ଧାଡ଼ି। ଆଖି ଛଳଛଳ ହୋଇ ଉଠିଲା। ମନ ଭିତରଟା ଉଜ୍ଜଳ ହୋଇ ଉଠିଲା। କେତେ ଶାନ୍ତି ଏବେ। ଏଇ ଧାଡ଼ିଟିଏ ହିଁ ଅମୃତ। ପ୍ରେମବୋଳା ଦୁଇପଦ। ସାରା ପ୍ରେମଗ୍ରନ୍ଥର ଆଉ ଅବା କଣ କରିଥାନ୍ତି। ତାକୁ କହିଲି,
:ତୁ ଗଲୁ ମୁହଁ ହାତ ଧୋଇ ଆସିବୁ। ଆହା, ଏ କି କଲି ମୁଁ; ଏବେ ପୁଣି ଥଣ୍ଡା ପାଣି ଲାଗିବ ତୋତେ।
ଫଗୁଣ କହିଲା,
:ହେଇଟି ତୁ ଜମା ବ୍ୟସ୍ତ ହେଏନି ମ। ଦିଦିନରେ ଚେଙ୍ଗା ଭଳିଆ ଠିଆ ହେଇଯିବି।

ସେ ଚାଲିଗଲା ମୁହଁ ହାତ ଧୋଇବାକୁ। ହେଲେ ମୁଁ ମନ ଭିତରେ ଗାଁ ମୁଣ୍ଡର ଠାକୁରାଣୀଙ୍କ ଠୁଁ ଆରମ୍ଭ କରି, ବାମ୍ଫି ମହାଦେବ, ଦଧିବାମନ, କାଳିକା, ଭୂୟାଁଣୀଙ୍କ ସହ ମଠ ମହାପ୍ରଭୂଙ୍କୁ ଭୋଗ ଦେବାର ଏକ ପ୍ରତିଜ୍ଞା କରି ପକାଇଲି। ସର୍ତ୍ତ ଥିଲା ଯଦି ତାର ଶୀଘ୍ର ଆରୋଗ୍ୟ ହୁଏ। ଦୁଇ ମିନିଟ୍‌ ପରେ, ଭାବି ବସିଲି ସମସ୍ତେ କହନ୍ତି କାଳିକା ଅତି ପ୍ରତ୍ୟକ୍ଷ; ଏଣୁ ଟିକେ ନରମି ଗଲି। ଭାବିଲି ନାଇଁ, ଏଇଟା ଠିକ୍‌ ହେବନି ଏଇମିତି ସର୍ତ୍ତ ରଖିବାଟା। ନିଜକୁ ବନ୍ଧକ ରଖି ପକାଇଲି ଏବେ। ଆଖି ବନ୍ଦ କରି କହିଲି , ମୋତେ ତାଠୁ ଦଶଗୁଣ ଅଧିକ ଜ୍ବର ଦିଅ ପଛେ ମୋ ଫଗୁଣକୁ ନିରୋଗ କରି ରଖ ହେ ଦେବାଦେବୀ ଗଣ।

ଫଗୁଣ ଫେରି ଆସିଲା ହାତ ମୁହଁ ଧୋଇ । କହିଲା
:ଭାଇ ସବୁ ରଙ୍ଗ ଧରି ଖେଳିବାକୁ ଚାଲିଗଲା। ଦେଲୁ ଚିନାଏ ଫଗୁ ତୋତେ ଲଗେଇ ଦିଏ। ତୋ ମୁଣ୍ଡଟା ଖାଲି ଅଛି।
ମୁଁ ସବୁ ରଙ୍ଗ ପସରା ତା ଆଡ଼କୁ ବଢ଼ାଇ ଦେଲି। ଫଗୁଣ ସେଇ ଗୋଲାପୀ ଅବିର ଚିନାଏ ନେଇ ମୋର ଅଭିଷେକ କରି ଦେଇଥିଲା ସେଇ ଫଗୁଣରେ।ମୁଁ ତାର ହାତରେ ରଙ୍ଗ ଦେଖି କହିଲି, :ଆରେ ପୁଣି ରଙ୍ଗହାତ କାହିଁକି ହେଲୁ ଲୋ, ଆଉଥରେ ହାତ ଧୋଇବାକୁ ପଡ଼ିବ ଏବେ ।
ସେ ସେଇମିତି ହାତ ଝାଡ଼ି କହିଲା;
:ଚଳିବ। ତୁ ଆ ଦିଟା ପିଠା ଖାଇ ଦେଇଯିବୁ।
କେଜାଣି କାହିଁକି ଏ ସନ’ର ଫଗୁଣ ଏତେ ଛୁଇଁଗଲା ମତେ। ସବୁଆଡ଼େ ଫଗୁଣ ସର୍ବସ୍ୱ। ମୋ ଫଗୁଣର କଥା, କେତେ ପ୍ରେମବୋଳା। କେତେ ଖାତିର, କେତେ ଦରଦ। କେତେ ସରଳ, କେତେ ନିରୀହ। କେତେ ଅମୃତ କେତେ ସ୍ୱର୍ଗୀୟ। ଜୀବନର ଗ୍ରୀଷ୍ମ ଆଉ ଶୀତର କଷାଘାତରେ ଏଇ ଫଗୁଣ ହିଁ ସ୍ୱର୍ଗସୁଧା ଆଣେ। ମୋର ଯୁବସୁଲଭ ଉଦ୍ଦାମତାରେ ଧିରେଧିରେ ଯତ୍ନପ୍ରଯତ୍ନର ବୀଜ ଅଙ୍କୁରିବାରେ ଲାଗିଗଲା। ଏଇ ପ୍ରଥମ ଋତୁରେ ହିଁ ଯେପରି ଅତି ଜ୍ଞାନୀ ହେବାରେ ଲାଗିଲି। ହୋ ହଲ୍ଲା, ହାସ୍ୟରୋଳ ସବୁ ଏବେ ଖାଁ ଖାଁ ଲାଗିବାରେ ଲାଗିଲା।
ଗାଁରେ ନିଇତି ପ୍ରତି’ତ ଫଗୁଣର ଘରକୁ ଯାଇ ପାରୁନଥିଲି; ଏଣୁ ତାର ଘରୁ ବାହାରିବା ସମୟ ଅନୁଧ୍ୟାନ କରିବାରେ ଲାଗିଲି। ଆଉ ନଜାଣିଲା ଭଳି ସେଇ ସମୟ ଗୁଡ଼ିକରେ ତାର ଯିବା ଆସିବା ବାଟରେ ତାକୁ ଦେଖୁଥିଲି। ସବୁଠୁ ଖୁସି ଲାଗୁଥିଲା ମନ୍ଦିର ବେଢ଼ାରେ ତାକୁ ମିଶିଲା ବେଳେ। ପ୍ରତିଥର ଯେପରି ପହିଲି ଦେଖା। ରଘୁନାଥଜୀଉଙ୍କ ଆଗରେ ଯଦିଓ ଅଲଗା ଅଲଗା ଠିଆ ରହୁଥିଲୁ, ହେଲେ ପ୍ରତିଥର ତାପାଇଁ ହିଁ ପ୍ରାର୍ଥନା କରୁଥିଲି। ତାର ଖୁସି ପାଇଁ ନିଜ ଭାଗର ଖୁସି ମଧ୍ୟ ଫଗୁଣକୁ ହିଁ ଦେବାକୁ ଆସ୍ଥାନରେ ବିରାଜିଥିବା ଦେବଦେବୀଙ୍କୁ ଗୁହାରି କରୁଥିଲି। ଏବେ ଫଗୁଣ ଖୁସିରେ ଅଛି ଜାଣି ମୁଁ ବି ଖୁସି। ମୋ କଥା ଦେବାଦେବୀ ଶୁଣିଲେ। ଶୁଣିବେନି! ନିଷ୍ପାପ ମନର ଭାବନା ଇଏ। ଏଇ କଥା ସେଦିନ ଗୀତାକୁ କହୁଥିଲି। ମୋ ଧର୍ମପତ୍ନୀଙ୍କୁ।

ମନ ପବିତ୍ର ଥିଲେ, ସାତ ସରଗର ଦେବାଦେବୀ ବି କଥା ଶୁଣନ୍ତି। ଏଇଟା ଗୋଟେ ଜ୍ବଳନ୍ତ ଉଦାହରଣ। ଇଏ ମୋ ହାତଧରି ହସିହସି କହିବାରେ ଲାଗିଲେ,
:ଫଗୁଣ ପାଇଁ ତ ଏତେ ମାଗି ବସିଲ। ହେଲେ ଥରୁଟିଏ ଫଗୁଣକୁ ମାଗିଥାନ୍ତ! ଈଶ୍ୱର ଶୁଣିଥାନ୍ତେ ନିଶ୍ଚୟ। ତୁମ ସାଥିରେ ଥାଆନ୍ତା। ତାକୁ ଆହୁରି ଖୁସିରେ ରଖିଥାନ୍ତ।
ଗୀତାକୁ କହିଲି,
:ସମାଜର କୁସଂସ୍କାର ଆଉ ପୂତିଗନ୍ଧମୟ ଜାତିପ୍ରଥା ଆଉ ବଦ୍‌ନାମକୁ ମୁଁ ଡରିନି କି ଏବେ ବି ଡରୁନି; ହେଲେ ଫଗୁଣକୁ ଏଇ ବଦ୍‌ନାମ ଗଳି ଦେଇ ଆସିବାକୁ ପଡ଼ିବ ଏହା ମୋତେ ମଞ୍ଜୁର୍‌ ନଥିଲା। ସେଇଥି ପାଇଁ ହିଁ ନୀରବରେ ସବୁବେଳେ ପ୍ରେମର ଏଇ ଅନୁଭବକୁ ହିଁ ଆଦରିଥିଲି। ତା ପାଇବାରେ ହିଁ ମୋତେ ସବୁ ପ୍ରାପ୍ତି ହେଉଥିଲା। ତା ଖୁସିରେ ହିଁ ମୋ ଦୁନିଆ ଭରି ଯାଉଥିଲା। ମୁଁ ମୋ ପ୍ରେମକୁ ଏଇଭଳି ସାଇତି ରଖିଥିଲି, ଦୁନିଆଁର ପାପଦାଉରୁ, ବଦ୍‌ନାମରୁ ଆଉ ତାର ଦୁଃଖକଷ୍ଟରୁ। ଏଇଥିରେ ହିଁ ଥିଲା ପରମ ତୃପ୍ତି।

ସେଦିନ ଗାଁରେ ବିଶୁ ମଧ୍ୟ ଏଇକଥା ହିଁ ପଚାରିଥିଲା।
:ଭାଇନା, ଏତେବାଟ ଆସି ପଛେଇ ଯିବା। ତମେ ସହି ପାରିବତି। ରହି ପାରିବତି। ଏ କି ବିଚିତ୍ର କଥା!
ବିଶୁକୁ ବୁଝାଇଥିଲି, କହିଥିଲି…
:କିରେ ପଛେଇଲି କେତେବେଳେ ? ଏଇତ ପ୍ରେମ । ଦୃଶ୍ୟରେ ଅଦୃଶ୍ୟରେ ଫଗୁଣ ସାଥିରେ ହିଁ ରହିଥିବି। ବିବାହ ପ୍ରେମର ଶେଷ ଅଗଣା ନାଇଁରେ। ପ୍ରେମ ହେଉଛି ପ୍ରେମ, ପ୍ରେମ ଆଉ କେବଳ ପ୍ରେମ।

ଏତେ ଗୁଡ଼ାଏ ପ୍ରେମ ଶବ୍ଦ ଶୁଣି ସେ ମୋ ମୁହଁକୁ ବଲବଲ କରି ଅନାଇ ରହିଲା। ହୁଏତ ଭାବୁଥିଲା ଯେ ତା ବୁଲୁଭାଇ କିଛି ବଡ଼ଜ୍ଞାନ ପାଇଗଲାଣି ଏ ଭିତରେ। ହୁଏତ ବୁଦ୍ଧଙ୍କ ନିର୍ବାଣ ପାଇଗଲା ପରି।

ସେ କହୁଥିଲା,
ମୋତେ ତ ଏତେ ସବୁ ବୁଝା ପଡ଼ୁନି ହେଲେ ତମେ କହୁଛ ଯେତେବେଳେ କିଛି ଭଲ ପାଇଁ ହିଁ କହୁଥିବ। ହେଲେ ବୁଝିଲ ଭାଇନା, ମୁଁ ସବୁବେଳେ ତୁମ ଦୁହିଁଙ୍କୁ ମିଶି ରହିବାର ହିଁ ମୋ କଳ୍ପନାରେ ଦେଖେ। ଦିନେ କଣ ହେଇଥିଲା ଶୁଣୁନ! ତମ ଦିଜଣଙ୍କ ଚେହେରାକୁ ନେଇ ଅମିତାଭ-ରେଖା, ଧର୍ମେନ୍ଦ୍ର-ହେମାମାଳିନୀ, ଆଉ ଜୀତେନ୍ଦ୍ର-ରୀନାରାୟ ସହ ମେଳ କଲି; ଜମାରୁ ହେଲାନି ମେଳ। ତାପରେ ପ୍ରଶାନ୍ତନନ୍ଦ-ମହାଶ୍ୱେତା ଆଉ ଉତ୍ତମ-ଅପରାଜିତାଙ୍କ ସହ ବି ମିଶାଇଲି; ହେଲେବି ନାଇଁ। ହେଲାନି ତ ଜମାରୁ। ଏଣୁ ଭାବିଲି ତମ ଦିଜଣଙ୍କ ଯୋଡ଼ି ରାମ-ସୀତା, ରାଧା-କୃଷ୍ଣ ଅବା ଶିବ-ପାର୍ବତୀ ଭଳି ଜବରଦସ୍ତ ହେବ। ହେଲେ ଏବେ ତମେ ଏଇମିତି ତ୍ୟାଗର ରାସ୍ତା ଧରିଲେ ଆଉ ମେଳ କଣ କରିବି ମୁଁ।

ସେଦିନ ବହେ ହସିଲି। ବିଶୁର କଥା କେତେ ସରଳ ଆଉ ମନଛୁଆଁ ଥିଲା। ଆମର ପ୍ରେମ ଧିରେଧିରେ ସଂକ୍ରମିତ ହେଉଥିଲା। ମୋର ବନ୍ଧୁ ସବୁ ଏଇମିତି ସପନ ଦେଖିବାରେ ଲାଗିଥିଲେ ମୋ ପାଇଁ ଆଉ ମୁଁ ସପନ ଦେଖୁଥିଲି ଫଗୁଣର ଖୁସି ପାଇଁ।

ସେଦିନ ଚଟୁଏ ନିଆଁ ପାଇଁ ଫଗୁଣ ଘରକୁ ଆସିଥିଲା। ଏତେ ସକାଳୁ ତାକୁ ଦେଖି ଆଖି ମନ୍ଥି ପୁଣି ଦେଖିଲି, ଇଏ ସ୍ୱପ୍ନ ନା ସତ ! ସେ କହିଲା, ଏମିତି ଢ଼େଲାଢ଼େଲା ଆଖି କରି କଣ ଦେଖୁଛୁ ବା ? ଯା ସେ କରଞ୍ଜ ଦାନ୍ତକାଠିଟାକୁ ଚୋବେଇ, ମୁହଁ ଧୋଇ ଆସେ ତୋତେ କିଛି କହିବି।

ମୁହଁ ଧୋଇ ତା ପାଖକୁ ଆସିଲି। ମୋ ବୋଉ ମଧ୍ୟ ସେତେବେଳେ ତା ଚଟୁରେ ନିଆଁ ଧରି ଦେବାକୁ ଆସିଲା। ଫଗୁଣ ଆମ ଦୁହିଁଙ୍କୁ ଅନାଇ କହିଲା
:ନନା ମୋତେ ବିଭା କରିଦେବ ବୋଲି କହୁଛି। ବୁଝିଲୁ ନାନୀ, ସେଦିନ ମୋତେ ପଚାରୁଥିଲୁ ପରା, ମୋ ବୁଲୁକୁ ବିଭା ହେବୁକି ବୋଲି! ଏବେ ଯଦି ନନା ମୋତେ ଆଉ କା ହାତରେ ଛନ୍ଦି ଦେବ, ତୋ ସାନପୁଅକୁ କେମିତି ବିଭା ହେବି କହିଲୁ!! ଆଉ ମତେ ଯଦି ଇଏ ବିଭା ହେଇଥାନ୍ତା ତେବେ ସମାଜ ଆଉ ଜାତିରେ ଉଲୁଗୁଣା ଖାଲି ପାଆନ୍ତାନିକି !!! ଏଣୁ ମୁଁ ନନାକୁ କହିଲି, ତୋର ଯାହା ଇଚ୍ଛା କର। ଆଜି ସେମାନେ ସବୁ ଆସୁଛନ୍ତି ଏଣୁ ସକାଳୁ ସହଳ ଚୂଲୀ ଲଗାହେବ। ବୋଉକୁ କହି ସେଇଥିପାଇଁ ନିଆଁ ନେବାକୁ ଆସିଲି ପରା।

ମୋ ବୋଉ ତା କପାଳରେ ବୋକଟିଏ ଦେଇ, ତାକୁ କୁଣ୍ଢେଇ ଧରିଲା ମୋତେ ହାତ ବଢ଼େଇ ଡାକିଲା ଆଉ ମୋତେ ବି ଜାକି ଧରିଲା।
:ଭଗବାନ ତୋତେ ସଦାସୁଖୀ ରଖନ୍ତୁ, ତୋ ହାତ କାଚ ବଜ୍ର ହେଉଲୋ ମା ବୋଲି ତାକୁ ଆଶୀଷ ଦେଲା।
ସଦାବେଳେ ପରି କହିଲା,
:ମୁଁ ସାନକୁ ଜନ୍ମ ଦେଇଛି ହେଲେ କର୍ମ ଦେଇନି ଲୋ। ଦେଖାଯାଉ ତା ଭାଗ୍ୟରେ କଣ ଅଛି। ତା ପାଇଁ ବଟଉସ୍ତରେ ପାଣି ଦେଉଛି। ସବୁ ମଙ୍ଗଳ ହେବ ଲୋ। ତୁ ଚିନ୍ତା କରନା।

ସେ ନିଆଁ ଚଟୁଏ ନେଇ ଚାଲିଗଲା। ହେଲେ ତାର କଥା ଗୁଡ଼ାକ ଆଉ ମୋ ବୋଉର ଆଶୀଷ ସବୁ ରଡ଼ନିଆଁଠୁ ଆହୁରି ତେଜୋମୟ ଥିଲା। ଏଇ ଦୁଇଜଣଙ୍କ କଥା ଏବେବି ମନରେ ଅଛି। ରଡ଼ନିଆଁ ପରି ଜଳୁଛି। ତା ଖୁସି ପାଇଁ ମୁଁ ମନାସୁଥିଲି ଆଉ ମୋ ଖୁସି ପାଇଁ ସେ ବି ନିଜକୁ ଏଇ ସମାଜର ଅଙ୍କାବଙ୍କା ସର୍ପିଳ ଅନ୍ଧବିଶ୍ୱାସର ଗଳିରେ ପାଦ ଥାମି ଦେଇଥିଲା। ଏବେ ତାର ମୋର
ବ୍ୟବଧାନ ହୁଏତ ତେର ହଜାର କିଲୋମିଟର ଠୁଁ ଅଧିକ ହେବ, ତାର ମୋର ନମିଶିବାର ଛବିଶ ବର୍ଷରୁ ଅଧିକ ହେବ । ହେଲେ ବି ସେଇ ସ୍ନେହ ପ୍ରେମ ଆଦର ଅମ୍ଲାନ ରହିଛି।

ଶେଷଥର ପାଇଁ ଏଇ ଫଗୁଣରେ ହିଁ ଫଗୁଣକୁ ମିଶିଥିଲି। ସେଦିନ ସେ ରଙ୍ଗକନାରେ ଗୁଡ଼େଇ ସେଇ ଗୋଲାପୀ ଫଗୁ ନେଇ ଆସିଥିଲା। ପ୍ରଥମେ ସେଇମିତି ମୋତେ ତିଳକ ଲଗେଇ ଦେଇଥିଲା। ଆଉ ମୁଁ ବି ନୀରବରେ ତା ଗାଲରେ ତିନି ଆଙ୍ଗୁଠିଆ ସ୍ୱାକ୍ଷର, ମୋ ପ୍ରେମର; ଆଙ୍କି ଦେଇଥିଲି। ସେ ମୁଣ୍ଡନୁଆଁଇ ବସିଲା, ମୋ ପାଦ ଛୁଇଁ ଆଶୀଷ ନେଲା। ଅହ୍ୟସୁଲକ୍ଷଣୀ ହୋଇ ରହିଥାଉ ସଦା। ସେଇ ଫଗୁଣରେ , ମୋ ଫଗୁଣକୁ ଫଗୁଣକୁ ଅର୍ପଣ କରିଦେଇଥିଲି। ସବୁବେଳେ ଫଗୁଣ ଆସେ, ସେଇ ଫଗୁଣ ସହ ମୋ ଫଗୁଣ ଆସେ।ବସନ୍ତୋତ୍ସବ ହୁଏ ମୋ ମନ ପ୍ରାଣ ଆତ୍ମାରେ …!

ପୁଣି ଆସେ ସବୁ ସେଇ କଥା, ସେଇ ରାଗଋଷା, ସେଇ ଅଭିମାନ; ଆଉ ତାସହ ମଧୁମାସ ଆହୁରି ଜୀବନ୍ତ ହୋଇଉଠେ ମୋ ପ୍ରାର୍ଥନାର ଅଗଣାରେ। ତାପାଇଁ ଏବେବି ସୁଖ ଶାନ୍ତି ଆଉ ସେନେହ ମାଗେ। ଆହୁରି ଅଛି, କିଛି ଆଗରୁ ଆଉ କିଛି ପଛରୁ। ହେଲେ ଆଜି କେବଳ ଫଗୁଣରେ ଫଗୁଣର କଥା ହିଁ କହିଦେଲି…

ମୋ ଫଗୁଣର କଥା…!!!

-ପ୍ରଭୂ