ଏ ମାହେନ୍ଦ୍ର ବେଳା – ବିଜ୍ଞାନୀ ଦାସ

ଏ ମାହେନ୍ଦ୍ର ବେଳା - ବିଜ୍ଞାନୀ ଦାସ, ଡେଟନ୍‍, ମେରୀଲାଣ୍ଡ୍‍

ଏ ମାହେନ୍ଦ୍ର ବେଳା
ମନ ସରୋବରେ ନଳିନୀ ବିକଶି
ଦଶଦିଗ ମହକାଇଲା
ସୁଗନ୍ଧେ ପ୍ରାଣ ମୋହିଲା ।
ଏ ମାହେନ୍ଦ୍ର ବେଳା
ଗୁଣୁଗୁଣୁ ଗାଉଥିଲା ପବନ ତା ମଧୁ ସୁରେ
ଛୁଉଁଥିଲା ତନୁମନ ତା' କାଉଁରୀ ପରଶରେ
ଏତେ ରଙ୍ଗ ଥିଲା ସତେ ଏଇ ପୃଥିବୀରେ
ବିଞ୍ଚିଗଲା ଚାରିଦିଗେ କେଡେ ସରାଗରେ,
ମନେ ରଙ୍ଗ ଲାଗିଲା ।୧।
ଏ ମାହେନ୍ଦ୍ର ବେଳା
ଶୂନ୍ୟରେ ରୋଶଣି ଜାଳି, ଦଶଦିଗ ଚମକାଇ
ପକ୍ଷୀରାଜ ଘୋଡା ପରେ, ବୀର ରାଜପୁତ୍ର କେହି
ଦେଖୁଦେଖୁ ପହଞ୍ଚିଲା ସିଏ ମୋର କତି
ମୃଦ୍ୟୁ ହାସେ ଢାଳିଦେଲା ଅସରନ୍ତି ପ୍ରୀତି
ହୃଦ ବହକି ଗଲା ।୨।
ଏ ମାହେନ୍ଦ୍ର ବେଳା
ବାଜିଲା ଯୋଡି ମହୁରି, ଶଙ୍ଖ, ଢୋଲ, ଭେରୀ, ତୁରୀ
ବେଦୀପରେ ବେଦମନ୍ତ୍ର, ଅଗ୍ନି ଦେବ ପୂଜା କରି
ସ୍ୱାଧୀନ ଚେତନା ପରେ, ପଡିଲା ଶିକୁଳି
ଅହମିକା, ଅହଂ ଭାବ, ପଡିଲା ହୁଗୁଳି
ସବୁ ବଦଳି ଗଲା ।୩।
ଏ ମାହେନ୍ଦ୍ର ବେଳା
କିଏ ଅବା ଜାଣିଥିଲା, ଦିନେ ଏମିତି ଘଟିବ
ଟିକିଏ ପ୍ରେମରେ ମନ, ଢଳି ଏମିତି ଝୁରିବ
ଆପଣା ମଣିଷ ମାନେ, ଦୂରେ ରହିଯିବେ
ଅଜଣା ଅଶୁଣା କିଏ, ଅନ୍ତରଙ୍ଗ ହେବେ
ବିଧି ବିଧାନ କଲା ।୪।
ଏ ମାହେନ୍ଦ୍ର ବେଳା
ଯେଉଁଦିନ ତୁମେ ମୋର ଏଇ ଜୀବନେ ଆସିଲ
ଯାଦୁ ତୁମ ବଚନରେ ମୋହି ହୃଦୟ ଛୁଇଁଲ
ଆଖି ମୋର ଲାଖି ଗଲା, ତୁମ ଆଖି ସାଥେ
ଭାବିଲି କେମିତି ସ୍ୱପ୍ନ ଦେଖିଲି ଜାଗ୍ରତେ
ଶ୍ୱାସ ଅଟକି ଗଲା ।୫।
ଏ ମାହେନ୍ଦ୍ର ବେଳା
ପ୍ରସାରିତ ବାହୁ ତୁମ ବ୍ୟାପି ମୋର ଆତ୍ମା ଛୁଏଁ
ହୃଦୟ ଆଡକୁ ଆପେ ଟାଣେ, ବିସ୍ତାରିତ ହୁଏ
ଭରିଦିଏ ସ୍ନେହ ତାପ, ସଂଚାରେ ସ୍ପନ୍ଦନ
ଶୀତଳ ପରାଣେ ମୋର ଜଗାଏ କଂପନ
ସତେ ସୁଧା ଝରିଲା ।୬।
ଏ ମାହେନ୍ଦ୍ର ବେଳା

ବର୍ଷା ପରେ ତୁମେ ଆସ ଦୀପ୍ତ ଅଂଶୁମାନ ହୋଇ
ପ୍ରକାଶରେ ଉତ୍ତାପରେ ଦିଅ ଆକର୍ଷଣେ ଛୁଇଁ
ତୁମେ ଥିଲେ ଆଉ କିଛି ନଥାଏ ମୋ ଡର
ଆସୁ ଯେତେ ଝଡ ଝଞ୍ଜା ତୁମେ ତ ମୋହର
ସବୁ ସୁଖ ପସରା ।୭।

ଏ ମାହେନ୍ଦ୍ର ବେଳା

(ଏହି କବିତାଟି ଓସା ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷ୍ୟେ ଆୟୋଜିତ କବିତା ପାଠୋତ୍ସବରେ ଆବୃତ୍ତି କରାଯାଇଥିଲା)

Be the first to comment

Leave a Reply

Your email address will not be published.


*