ଅନ୍ତର୍ଦ୍ବନ୍ଦ – ଲିପିକା ମହାପାତ୍ର

ଅନ୍ତର୍ଦ୍ବନ୍ଦ - ଲିପିକା ମହାପାତ୍ର

ମହାଭାରତରେ ଶିଖଣ୍ଡୀଙ୍କର ପରିଚୟ କାହାକୁ ବା ଅଜଣା। ଶାସ୍ତ୍ର ପୁରାଣରେ ଚରିତ୍ରଙ୍କର ଲିଙ୍ଗ ଗତ ପ୍ରଶ୍ନବାଚୀ ଚଳିବ। କିନ୍ତୁ ଶ୍ରୀନିବାସ ବାବୁଙ୍କର ବୁଢା ବୟସରେ ସ୍ତ୍ରୀଲୋକ ଭଳି ବେଶ ହେବା ଦେଖି ଲୋକେ କହିଲେ କଳି ଯୁଗ ଶେଷ ସମୟ ଆସିଗଲା।

ଶ୍ରୀନିବାସ ବାବୁ ଯଦି ପ୍ରଥମରୁ କିନ୍ନର ସମ୍ପ୍ରଦାୟରେ ଗୋଟାଏ ଲଉକା ପରି ଖସି ପଡିଥା’ନ୍ତେ ତେବେ କଥା ଅଲଗା। ପରିଚୟ ହୀନ ମାମୁଲି ମଣିଷ କେବେ କ’ଣ ଲୋକଙ୍କର ଆଗ୍ରହ କିମ୍ବା ଆଲୋଚନାର ପାରିଧି ଭିତରେ ପଶିପାରିଲାଣି। କିନ୍ତୁ ଶ୍ରୀନିବାସ ବାବୁ ଜଣେ ବିଶିଷ୍ଟ ଇଂରାଜୀ ଅଧ୍ୟାପକ। ୟେ ବଣ ପାହାଡ ମୁଲକଟି ପ୍ରକୃତି ମନସ୍ଥ ପର୍ଯ୍ୟଟକଙ୍କୁ ତା’ର ସବୁଜିମାରେ ବିହ୍ଵଳ କଲା ପରି ଏ ଅଞ୍ଚଳର ଏକମାତ୍ର କଲେଜଟି ଦୂର ଦୂରାନ୍ତରୁ ଇଂରାଜୀ ସାହିତ୍ୟରେ ଆଗ୍ରହୀ ଛାତ୍ର ଛାତ୍ରୀଙ୍କୁ ବାଟ କଢାଇ ଆଣେ କେବଳ ଅଧ୍ୟାପକ ଶ୍ରୀନିବାସଙ୍କ ଉଚ୍ଚମାନର ଶିକ୍ଷା ପ୍ରଣାଳି ଯୋଗୁଁ । କେହି ଏହି କହନ୍ତି ଶ୍ରୀନିବାସ ବାବୁ ମା’ ପେଟରୁ ଇଂରାଜୀ ଶିଖି ଆସିଛନ୍ତି। ସେ ଯେଉଁ ପିଲା ମୁଣ୍ଡରେ ହାତ ରଖିଦେବେ ସିଏ ରାତିରେ ବିଳିବିଳାଇଲେ ବି ମୁହଁରୁ ଶୁଦ୍ଧ ଇଂରାଜୀ ଓଗାଳିବ।

ଆଜିକାଲି କିନ୍ତୁ କଲିକତି ଲୁଗା ବେପାରୀ, ଆନ୍ଧ୍ର କଦଳୀ ଆଉ ରାସ୍ତା କଡ ଖାଦ୍ୟ ବିକାଳୀଙ୍କ ସଂଘ ବଦ୍ଧ ଆକ୍ରମଣରେ ଏଠାର ପ୍ରାକୃତିକ ପରିବେଶ କିଛିଟା ବିକୃତ ହୋଇ ଗଲାଣି। ତଥାପି ବି ଶୀତ ଋତୁ ଆସିଲା ମାତ୍ରେ ପର୍ଯ୍ୟଟକ ଧାଇଁ ଆସିଲା ପରି ନାମଲେଖା ସମୟ ଆସିଲେ ଧାଇଁଆସନ୍ତି ବିଦ୍ୟାର୍ଥୀ।

ଲୋକେ ଭାବୁଥିଲେ ଶ୍ରୀନିବାସ ବାବୁ ଅବସର ଗ୍ରହଣ ପରେ ଏଠାକୁ ଆସୁଥିବା ବିଦ୍ୟାର୍ଥୀଙ୍କ ସଂଖ୍ୟା କମିଯିବ। ସେମାନଙ୍କୁ ନେଇ କଲେଜ ଆଖପାଖରେ ଜମି ଉଠିଥିବା ଛୋଟିଆ ଭୋଜନାଳୟ ଆଉ ଖାତା ବହି ଦୋକାନ ବନ୍ଦ ହୋଇଯିବ। କିନ୍ତୁ ଶିକ୍ଷାଦାନ ଯାହାର ନିଶା ତାକୁ କିଏ ଅଟକାଇବ। ଅବସର ପରେ ଅଦୂରରେ ଏକ କୋଚିଙ୍ଗ୍ ସେଣ୍ଟର୍ ରେ ପଢାଇବା ଆରମ୍ଭ କରିଦେଲେ ଶ୍ରୀନିବାସ ବାବୁ। ଏବଂ ସେଇ ଅବସରରେ ଦିନେ ଛାତ୍ର ଛାତ୍ରୀ ସ୍ଵଚକ୍ଷୁରେ ଦେଖିଲେ ତାଙ୍କର ନୂଆ ରୂପ। ସୁତରାଂ ସେଦିନ ଶ୍ରୀନିବାସ ବାବୁ କାହାକୁ ଭୃକ୍ଷେପ ନକରି ନାରୀ ରୂପରେ ପଢାଇବାକୁ ଆସିଥିଲେ। ସେ ନିଜ ଶରୀର ଭିତରେ ଆଉ ବନ୍ଦି ହୋଇ ରହି ପାରିବେ ନାହିଁ। ଯିଏ ଯାହା ଭାବିଲେ ଭାବୁ। ଅତଏବ କଥାଟା ଅରଣ୍ୟରେ ନିଆଁ ଲାଗିଲା ପରି ବ୍ୟାପିଗଲା କାନକୁ କାନ ହୋଇ।

ପିଲାଏ ସେଦିନ ତାଙ୍କୁ ସାର୍ ବଦଳରେ ମାଡମ୍ ବୋଲି ସମ୍ବୋଧନ କରନ୍ତେ ସେ ଟିକିଏ ହସି ଦେଇଥିଲେ। ତାଙ୍କ ଛାତି ତଳେ ଗୋଟେ ନିଆରା ସନ୍ତୋଷର ଅନୁଭବ ହୋଇଥିଲା ପ୍ରଥମ ଥର ପାଇଁ । ତାଙ୍କ ଷ୍ଟୁଡେଣ୍ଟ୍ ମାନେ ଶ୍ରୀନିବାସ ବାବୁଙ୍କୁ ସାର୍ କିମ୍ବା ମାଡମ୍ ଖୋଳପାରେ କିଛି ବିଶେଷ ପାର୍ଥକ୍ୟ ଦେଖିଲେ ନାହିଁ। ବରଂ ସେମାନେ ଅନୁଭବ କଲେ ଯେ ଏଇ ନୂଆ ରୂପରେ ଶ୍ରୀନିବାସ ବାବୁ ସେଦିନ ସେକ୍ସପିଅରଙ୍କର ସନେଟ୍ –ସମର୍ ଡେ, କୁ ବୁଝାଇଲାବେଳେ ଖୁବ୍ ଭାବ ବିହ୍ଵଳ ହୋଇ ପଡୁଛନ୍ତି। ପ୍ରାଞ୍ଜଳ ଭାବରେ କବିତାଟିକୁ ବୁଝାଇଲା ବେଳେ ସମୟ କାହାକୁ ଜଣା ପଡିଲା ନାହିଁ।

ସେଦିନ ରାତିରେ ହଷ୍ଟେଲ କୁ ଫେରିଲା ବେଳେ ନୂଆ କରି ସିଗାରେଟ୍ ଟାଣୁଥିବା ପିଲାଟିଏ ଧୁଆଁ ଛାଡି ଖଣ୍ଡି କାଶଦେଇ କବିତା ପରି ଧାଡିଟିଏ କହିଲା, ଆତ୍ମାକୁ ଉନ୍ମୁକ୍ତ କରିବାର ବେଳ ୟେ...| ତା’ ପର ଧାଡି ଆଉ ଗଢି ନପାରି ଚୁପ୍ ହେଇ ଗଲା କ୍ିନ୍ତ କଡକୁ ଆଉ ଦିହେଁ ନିରବ ସମର୍ଥନ କଲେ ବୋଧେ। ମୋଟ ଉପରେ ପିଲାମାନେ ଶ୍ରୀନିବାସ ବାବୁଙ୍କ ନୂଆ ରୂପକୁ ଆଦରରେ ଗ୍ରହଣ କରିନେଇଥିଲେ।

କିନ୍ତୁ ଲୋକେ ସହଜରେ ବୁଝିଲେନାହିଁ। ଶ୍ରୀନିବାସ ବାବୁଙ୍କର ନଖରେ ନେଲପଲିସ୍, ଓଠରେ ଲିପଷ୍ଟିକ୍, ଜିନ୍ ଉପରେ ଫୁଲ ପକା କୁର୍ତ୍ତି ଭାରି ଅସହ୍ୟ ହେଲା । ସେମାନେ ଖୋଜୁଥିଲେ ଇଂରେଜ ଅମଳର ଜଣେ କର୍ଣ୍ଣେଲ୍ ଭଳି ବେଷ ପୋଷାକ ପରିହତ ଅଧ୍ୟାପକ ଶ୍ରୀନିବାସ ବାବୁଙ୍କୁ। ସେଦିନ ତାଙ୍କ ଇଂଜିନିୟର ପୁଅ ସମ୍ୟକ୍ ଘର ଛାଡି ଚାଲିଯିବାକୁ ଧମକ ଦେଲା। ଦିଲ୍ଲୀରୁ ଝିଅ ସୋଭା ଫୋନ୍ ଯୋଗେ ନିଜର ଅସନ୍ତୋଷ ବ୍ୟକ୍ତ କଲା ତା ମାଆ ତଥା ଶ୍ରୀନିବାସ ବାବୁଙ୍କ ପତ୍ନୀ ଦେବକୀଙ୍କ ଆଗରେ।

ଶୁଣ ମା’, ତୋ ଜୋଇଁଙ୍କୁ ମୁଁ ଏଯାଏଁ କିଛି କହିନି। କ’ଣ ଭାବିବେ କହିଲୁ। ସୋମ୍ ବଡ ହେଲାଣି ତା’ ଅଜାଙ୍କର ୟେ ରୂପ ତା’ ଉପରେ କି ପ୍ରଭାବ ପକାଇବ? ବାପା ଆମ କଥା କେବେ ଭାବିଛନ୍ତି? ସବୁବେଳେ ନିଜ ଇଚ୍ଛାରେ କାମକରିବେ। ବୁଝିଲୁ ତାଙ୍କର ପାଗଳାମି ବାହାରିଛି ମୁଁ ଏଠି ଡାକ୍ତରଙ୍କ ସହ ଆଲୋଚନା କରିବି। କିଛି ଉପାୟ ନିଶ୍ଚୟ ଥିବ ୟେ ରୋଗ ପାଇଁ।

ଦେବକୀ ଦିର୍ଘଶ୍ବାସ ଛାଡି ଫୋନ୍ ରଖିଲେ ଓ ସହାନୁଭୂତିର ଆଖିରେ ଚାହିଁଲେ ତାଙ୍କ ସ୍ଵାମୀଙ୍କୁ। ଶ୍ରୀନିବାସ ସେତେବେଳେ ସ୍ଲିପିଙ୍ଗ୍ ଗାଉନ୍ ପିନ୍ଧି ଶୋଇବାକୁ ପ୍ରସ୍ତୁତ ହେଉଥିଲେ। କେଡେ ନିରୀହ ଶିଶୁଟିଏ ଭଳି ଦିଶୁଛନ୍ତି ତାଙ୍କ ସ୍ଵାମୀ। ଦୀର୍ଘ ଚାଳିଶି ବର୍ଷ ଅତିକ୍ରାନ୍ତ ହୋଇଯାଇଛି ୟା ଭିତରେ। ଶ୍ରୀନିବାସଙ୍କର ପୁରୁଷତ୍ବକୁ ନେଇ ମୁହୁର୍ତ୍ତେ ଲାଗି ମଧ୍ୟ ସନ୍ଦେହ ଉପୁଜିନାହିଁ ଦେବକୀଙ୍କର। କେମିତି ବଞ୍ଚୁଥିବେ ସେ ଗୋଟେ ମୁଖା ପିନ୍ଧି ...ହେ ଭଗବାନ୍!

ବାଳକ ଶ୍ରୀନିବାସ ଯେତେବେଳେ ହାଇସ୍କୁଲ୍ ରେ ପଢୁଥିଲେ ସେଦିନ ବଡ ନାନିର ନାଲି କୁଙ୍କୁମକୁ କପାଳରେ ମାରି ଦର୍ପଣ ଦେଖୁଥିବା ବେଳେ ବାପାଙ୍କ ନଜରରେ ପଡିଗଲା। ସେ ବେତ ମାଡ ଆଜିବି ତାଙ୍କର ମନେ ଅଛି। ଦୁଇ ବଡ ନାନିଙ୍କ ପରେ ଏକମାତ୍ର ପୁଅ ହେବା ସୌଭାଗ୍ୟ କି ଦୁର୍ଭାଗ୍ୟ ଶ୍ରୀନିବାସ ବୁଝି ପାରନ୍ତିନାହିଁ। କଟକଣା ମଧ୍ୟରେ ବାପାଙ୍କ କଡା ନଜରରେ ରହିବା ନିଜ ଭାଗ୍ୟ ଭାବି ତୁନି ରହନ୍ତି।

ଶ୍ରୀନିବାସଙ୍କ କଲେଜ ସମୟ କିଛିଟା ସ୍ଵାଧିନତା ଉପଭୋଗ କରିଥିଲେ। ସେତେବେଳେ ହିପ୍ପି ମୁଭମେଣ୍ଟ ଆଡକୁ ଯୁବ ପିଢି ଢଳିବା ଆରମ୍ଭ ହୋଇଥାଏ। ଶ୍ରୀନିବାସ ହଷ୍ଟେଲରେ ରହୁଥାନ୍ତି। ସେ ସେତେବେଳେ ହିପ୍ପିର ପରିଚୟ ଭିତରେ କିଛିଟା ଉନ୍ମତ୍ତ ହେବା ମିଛ ନୁହଁ। କିନ୍ତୁ ତାହାର ଆୟୁଷ ବେଶୀ ଦିନ ନଥିଲା। ସେ ବର୍ଷ ଖରା ଛୁଟିରେ ଗାଁକୁ ଆସିଥାନ୍ତି ଶ୍ରୀନିବାସ, ନାନିର ବାହାଘର ଥାଏ । ଘରେ କୁଣିଆ ମଇତ୍ର ଭିଡ। ଏତିକିବେଳେ ଶ୍ରୀନିବାସକୁ ଦେଖି ବାପାଙ୍କ ପିତ୍ତ ଚଢି ଗଲା। ସେତେବେଳଯାଏଁ ଶ୍ରୀନିବାସ ଜାଣି ନଥିଲେ ଯେ ବାପା ତାଙ୍କ ବ୍ୟାଗ ତଲାସି କରି, ପୁଳେ ମୁଣ୍ଡ ବନ୍ଧା ରବର, ଛୋଟିଆ କଜ୍ଜଳ ଡବାଟିର ସନ୍ଧାନ ପାଇ ସାରିଛନ୍ତି।

ସମସ୍ତେ ଚାହିଁଥାନ୍ତି, ବାପା ଶ୍ରୀନିବାସର ହାତ ଟାକୁ ଭିଡିନେଇ କୁଆ ମୂଳେ ବସାଇ ଦେଲେ। ବାରିକକୁ କହିଲେ, କେଶ କଟ୍ ୟାର। ବାରିକ ଦାନ୍ତ ନିକୁଟି ତା’ କାମ ଆରମ୍ଭ କରିଦେଲା। କେଉଁ ଜନ୍ମରୁ ଶତ୍ରୁତା ଥିଲା ପରି ବେକ ମୂଳଯାଏଁ ଲମ୍ବିଥିବା କଳା ମଚ ମଚ କେଶକୁ୍ କାଟି ଏଡିକି ଟିକେ କରିଦେଲାବେଳେ ଶ୍ରୀନିବାସ ଆଖିରେ ଲୁହ ଜକେଇ ଆସିଲା। କିନ୍ତୁ ମୁହଁ ଖୋଲି ପାରିଲେ ନାହିଁ। ବାପାଙ୍କ ନାଲି ଆଖି ଆଗରେ ସେ ଦବି ଯାଆନ୍ତି। କେହି କେହି ମୁହଁ ଲୁଚାଇ ହସି ପକେଇଲେ। ମାଇଚିଆଟାଏ ବୋଲି ଟାହି ଟାପରା କାନରେ ପଡିଲା। ସେଦିନ ରାତିରେ ବାରି ପଟ ପୋଖରୀ କୁଳେ ବସି ବହୁତ୍ ରାତି ଯାଏଁ କ’ଣ ସବୁ ଭାବିଲେ ସେ। ହତାଶ, ଅଭିମାନ କି ଅପମାନରେ ଶେଷରେ ଗୋଟେ ସିଦ୍ଧାନ୍ତ ନେଲେ: ଏଣିକି ସମସ୍ତଙ୍କ ଇଚ୍ଛାନୂଯାୟୀ ବଞ୍ଚିବେ।

ସମୟ ଗଡିଗଲା। ତାଙ୍କ ବାହାଘର ଯଥାରିତି ଦେବକୀଙ୍କ ସହ ସମ୍ପୁର୍ଣ୍ଣ ହେଲା। ବାପା ନାତି, ନାତୁଣୀଙ୍କ ମୁହଁ ଦେଖି ଆଶ୍ଵସ୍ତ ହେଲେ। ବୋଧହୁଏ ଭୁଲିବି ଗଲେ ଏକଦା ଶ୍ରୀନିବାସଙ୍କ ଭିତରେ ଘର କରିଥିବା ସେଇ କୋମଳମତି ଝିଅଟାକୁ। କିନ୍ତୁ ଶ୍ରୀନିବାସ ଭୁଲି ପାରିଲେ କି? ବିଗତ ଚାଳିଶ ବର୍ଷ ଧରି ଝିଅଟି ତାଙ୍କ ଭିତରେ ବିକଳ ହେଉଛି। ବଞ୍ଚିବାର ଗୋଟେ ପ୍ରଣାଳିକୁ ସେ ଯେତେ ଶୁଆ ପରି ଘୋଷିଲେ ବି ପ୍ରକୃତରେ କ’ଣ ସେ ବଞ୍ଚୁଛନ୍ତି। ମନ୍ଦିର ଥିବ ତା’ ମଧ୍ୟରେ ଠାକୁର ମୂର୍ତ୍ତି ନଥିବେ ଯଦି? ତାଙ୍କର ଦେହଟି ଅଛି ମାତ୍ର ଭିତରେ ସେ ନାହାନ୍ତି। ନିଜ ଦେହଟିକୁ ପ୍ରତିଦିନ ଦର୍ପଣରେ ଦେଖିବାର ଦୁଃଖ ଭୋଗ କରିଆସିଛନ୍ତି ଅଥଚ ନିଜକୁ ଯେମିତି ସେ ଚାହାନ୍ତି କେତେଥର ଅବା ମନଭରି ଦେଖିଛନ୍ତି।

ଏଇ କିଛିଦିନ ତଳେ ଦିନେ ସନ୍ଧ୍ୟାବେଳେ ଦେବକୀ ଚା’ କପଟି ବଢାଇ ଦେଲାବେଳେ ଶ୍ରୀନିବାସ ନରମ କରି କହିଲେ ଟିକେ ବସ କଥା ଅଛି। ଦେବକୀ ଆଶ୍ଚର୍ଯ୍ୟ ହେଲେ। କୌଣସି ଗୁରୁତର କଥା ନଥିଲେ ଶ୍ରୀନିବାସ ଏମିତି ବସିବାକୁ କୁହନ୍ତିନାହିଁ। ହୁଏତ ସମ୍ୟକ ବାହାଘରଟା ସାରିଦେବାକୁ ତାଙ୍କ ସ୍ଵାମୀ ବ୍ୟସ୍ତ ହେଉଛନ୍ତି। କିନ୍ତୁ ଘଣ୍ଟାଏ କଳ ଶ୍ରୀନିବାସଙ୍କ ମୁହଁରୁ ନିରୋଳା ସତ ଶୁଣିଲା ପରେ ସେ ହତବାକ୍ ହୋଇଗଲେ। ଯେଉଁ ଲୋକକୁ ସେ କ୍ଷଣକ ଲାଗିବି ସନ୍ଦେହ କରି ନାହାନ୍ତି ବିଗତ ଦିନ ଗୁଡିକରେ ତାଙ୍କ ଭିତରେ ପ୍ରକାଣ୍ଡ ଆଗ୍ନେୟଗିରି ଲୁଚି ରହିଥିଲା। ପୃଥିବୀ ଅଚିହ୍ନା ଦିଶିଲା ଦେବକୀଙ୍କୁ।

ଦୁଇ ମାସ କଟିଲା ଦୁଇ ବର୍ଷ ପରି। ସେଦିନ ପ୍ରଥମ କରି ଦେବକୀ ନିଜ ନେଲପଲିସ୍ ଆଣି ସ୍ବାମୀଙ୍କ ନଖକୁ ରଙ୍ଗେଇବାରେ ଲାଗିଲେ, ଘର ଭିତରେ ବିରାଜମାନ କରୁଥିବା ଦୁଇ ମାସର ଅଦ୍ଭୁତ ନିରବତାକୁ ଭାଙ୍ଗି।

-ଇସଲାମ୍ ଟେଲର ପାଖରେ କୁର୍ତ୍ତି ଗୁଡିକ ତୁମ ମାପରେ ସିଲାଇ କରି ଆଣିଛି। ତୁମ ପସନ୍ଦର ରଙ୍ଗ। ତହିଁ ଉତ୍ତାରୁ ଶୁଭିଲା ଏଇ ପଦକ।

ଶ୍ରୀନିବାସ ମନ ଭିତରେ ଖୋଲିଗଲେ କଢ ଭଳି। ହାଲକା ଲାଗିଲା ତାଙ୍କ ଚାରିପଟ ବାୟୁ ମଣ୍ଡଳ। ଆଖିରେ ଲୁହ ଜକେଇଗଲା ମାତ୍ର ତାହା ଇନ୍ଦ୍ରଧନୁ ରଙ୍ଗର। ଦେବକୀ ଘୋଷଣା କଲେ କାଲିଠାରୁ ତୁମେ “ତୁମେ” ହୋଇ ପଢାଇବାକୁ ଯିବ ବୁଝିଲ।

ଯୁଗେ ଯୁଗେ ନାରୀର ମହାନତା ଆଗରେ ପୁରୁଷ ମୁଣ୍ଡ ନୁଆଁଇଛି, ୟେ ଉକ୍ତିର ସତ୍ୟତା ଉପରେ ଆଉ ସନ୍ଦେହ ନଥିଲା ଶ୍ରୀନିବାସଙ୍କର।

ଶୀତଦିନିଆ ସଂଧ୍ୟା। ପାହାଡିଆ ଅଙ୍କା ବଙ୍କା ରାସ୍ତାର ବିଜୁଳି ବତି ଗୁଡିକ ଏକ ସମୟରେ ଜଳି ଉଠିଲା ବେଳକୁ ରାସ୍ତା ମୋଡରେ ଛୋଟିଆ ଅଞ୍ଚଳର ଆହୁରି ଛୋଟିଆ ତଥା ଆଧୁନିକ ପରିପାଟିର ରେସ୍ତୋରାଁଟିଏ ପର୍ଯ୍ୟାଟକ ଏବଂ କଲେଜ ଷ୍ଟୁଡେଣ୍ଟଙ୍କ ଭିଡରେ ଚଳ ଚଞ୍ଚଳ ହୋଇଉଠେ। ଠିକ୍ ସେତିକି ବେଳେ କୋଚିଙ୍ଗ୍ ସେଣ୍ଟରରୁ ପାଠପଢା ସାରି ଅଧ୍ୟାପକ ଶ୍ରୀନିବାସ ପହଞ୍ଛି ଯାଆନ୍ତି ସେଠି। ରେସ୍ତୋରାଁର ମଳିନ ଆଲୋକରେ ଦେଖାଯାଏ ଡାହାଣ କୋଣକୁ ଗୋଟିକିଆ ଟେବୁଲ୍ ରେ ଜିନସ୍, କୁର୍ତ୍ତି, କପାଳରେ ବିନ୍ଦି, ଆଖିରେ କଜ୍ବଳ, ଓଠରେ ହାଲକା ଲିପଷ୍ଟିକ୍ ଓ ହାତରେ ଏକ ଇଂରାଜୀ ନଭେଲ୍ ସହ ବସିଛନ୍ତି ଜଣେ ସମ୍ଭ୍ରାନ୍ତ ମହିଳା।

ସେଠାର ସମୁଦାୟ ଚାରି ଜଣ ୱେଟରଙ୍କୁ ଅଧ୍ୟାପକ ଶ୍ରୀନିବାସଙ୍କର ପସନ୍ଦ ନାପସନ୍ଦ କହିବାକୁ ପଡେନାହିଁ। ଥରେ ଥରେ ବିଦ୍ୟାର୍ଥୀଙ୍କ ଅନୁରୋଧରେ ଶ୍ରୀନିବାସ ବାବୁ ଇଂରାଜୀ କବିତା ଅନୁବାଦ କରି ଶୁଣାନ୍ତି। ମନ୍ତ୍ର ମୁଗ୍ଧ ହୋଇଉଠେ ପରିବେଶ। ଶୁଣିବା ଲୋକ ନିଜକୁ ଭୁଲିଯାଏ, ପାଖ ଲୋକକୁ ଭୁଲି ଯାଏ। ଋତୁ ବଦଳେ, ଗଛର ପତ୍ର ହଳଦିଆ ପଡେ, ପୁଣି ବର୍ଷା ପଡି ଥୁଣ୍ଟା ଗଛରେ ନୂଆ ପତ୍ର କଅଁଳେ କିନ୍ତୁ ବୃଦ୍ଧାଙ୍କର ଅଭ୍ୟାସରେ ତିଳେ ମାତ୍ର ପରିବର୍ତ୍ତନ ହୁଏନି।

ସମ୍ୟକ ୟା ମଧ୍ୟରେ କୋର୍ଟରେ ବିବାହ କଲା। ବାପା ତା’ ଘରକୁ ଆସିବେନି ଏପରିକି ଅତିଥି ଭାବରେ ମଧ୍ୟ ନୁହେଁ ବୋଲି ଦେବକୀଙ୍କୁ ଚେତାବନୀ ଦେଲାବେଳେ ତା’ ସ୍ଵରରେ ତିଳେ ମାତ୍ର କୁଣ୍ଠା ନଥିଲା ।

ଶ୍ରୀନିବାସ ବାବୁ କେବେ ବୁଝାଇ ପାରି ନାହାନ୍ତି ପିଲାଙ୍କୁ ଯେ ସେ ଯଦି ନିଜ ଜିଦ୍ଦି ରେ ଅଟଳ ରହି ଆଦୌ ବିବାହ କରି ନଥାନ୍ତେ ତେବେ ସମ୍ୟକ ଓ ସୋଭା ଆଜି ଏଇ ଧରା ପୃଷ୍ଠରେ ନଥାନ୍ତେ। ତା’ ଛଡା ଦେବକୀଙ୍କ ଭଳି ସ୍ନେହ ମୟୀ ମାଆର ସ୍ନେହ ସାନିଧ୍ୟ ପାଇବା କ’ଣ କମ କଥା।

କିନ୍ତୁ ହାୟ ପ୍ରିୟ ଜନର ସାନିଧ୍ୟ ଯଦି ସଂସାରରେ ଚିରସ୍ଥାୟୀ ହୋଇପାରନ୍ତା। ସେ ବର୍ଷ ଗ୍ରୀଷ୍ମ ଆସିବା ପୂର୍ବରୁ ଦେବକୀଙ୍କର ଅକସ୍ମାତ୍ ଦେହାନ୍ତ ହେଲା। ଶ୍ରୀନିବାସ ବାବୁ ଘରୁ ଆଉ ବାହରିଲେ ନାହିଁ। ଦେବକୀଙ୍କ ମୋତି ହାରଟିକୁ ଗଳାରେ ଧାରଣ କରି ଦର୍ପଣ ଆଗରେ ବସି ରହବା ତାଙ୍କ ଝିଅ ଦେଖିବାପରେ ସେଥିରୁ ତାଙ୍କୁ ନିବୃତ କରିନପାରି ଅଗତ୍ୟା ସ୍ଵାମୀ ଗୃହକୁ ପ୍ରତ୍ୟାବର୍ତ୍ତନ କଲା। ଅବଶ୍ୟ ବାପାଙ୍କର ଏପରି ଆଚରଣ ତା’ଲାଗି ରହିଗଲା ରହସ୍ୟ ଘେରରେ ଚିରକାଳ।

କିନ୍ତୁ କିଛି ଦିନ ଧରି ଶ୍ରୀନିବାସ ବାବୁଙ୍କୁ ରେତୋରାଁରେ ନଦେଖି ତାଙ୍କୁ ଅତ୍ୟନ୍ତ ଶ୍ରଦ୍ଧା କରୁଥିବା ସନ୍ତାନ ସମ ତାଙ୍କ ଛାତ୍ର ଛାତ୍ରୀ ସମୂହ ତାଙ୍କ ଘରକୁ ଯାଇ ବିନମ୍ର ଅନୁରୋଧ କଲେ,

-ଆପଣ କୋଚିଙ୍ଗ୍ ସେଣ୍ଟର ଏବଂ ରେସ୍ତୋରାଁକୁ ଆସିବା ଜାରି ରଖନ୍ତୁ ମାଡମ୍। ଆମେ ଝୁରୁଛୁ ଆପଣଙ୍କୁ ତଥା ଇଂରାଜି କବିତା ଆଲୋଚନାକୁ। ଦୟାକରି ଆମକୁ ସେଥିରୁ ବଞ୍ଚିତ କରନ୍ତୁ ନାହିଁ।

ଯିଏ ତାଙ୍କ ପରିଚୟକୁ ସ୍ଵେଚ୍ଛାରେ ଅନୁମୋଦନ ଦେଇଥିଲେ ସେ ଆଉ ନାହିଁ। ଯେଉଁ ଛାତ୍ର ଗଣ ତାଙ୍କ ପରିଚୟକୁ ଆଦରରେ ଗ୍ରହଣ କରିଛନ୍ତି ସେମାନଙ୍କ ମନରେ କଷ୍ଟ ଦେବା କେତେ ଦୂର ଯୁକ୍ତି ଯୁକ୍ତ? ଅଗତ୍ୟା ସେ ଫେରିଲେ ରେସ୍ତୋରାଁକୁ ପୂର୍ବବତ୍।

ମଝିରେ ମଝିରେ ଝିଅ ଫୋନ ଯୋଗେ ଭଲ ମନ୍ଦ ପଚାରେ। ବାପ ଝିଅଙ୍କ ମଧ୍ୟରେ କେତୋଟି ମାତ୍ର ଧରା ବନ୍ଧା ଶବ୍ଦର ଆଦାନ ପ୍ରଦାନ ତ’ପରେ ପୁଣି ଦୁଇଟି ମଣିଷ ଭିନ୍ନ ହୋଇ ଯାଆନ୍ତି। ଲିନ ହୋଇଯା’ନ୍ତି ନିଜ ନିଜ ସ୍ଵତନ୍ତ୍ର ଦୁନିଆରେ। କିଛି ଦିନ ପରେ ଥରେ ଶ୍ରୀନିବାସ ବାବୁଙ୍କର କେତେଜଣ ଛାତ୍ରଙ୍କ କାନରେ ପଡିଲା, ଶ୍ରୀନିବାସଙ୍କୁ କେନ୍ଦ୍ର କରି ସେ ଅଞ୍ଚଳର ମୁରବି ଭଳି କିଛି ବୟସ୍କ ଲୋକଙ୍କ କଥାବାର୍ତ୍ତା,

- ଦେହ ପାଉଁଶ ହେଲା ପରେ ଆଉ କି ଥାଏ କିଓ। ପାଉଁଶ ତ ପାଉଁଶ ନାରୀର ଆଉ ପୁରୁଷର କ’ଣ ଅଲଗା କି। ୍ଲୋକଟା ତା’ ମତେ ବଞ୍ଚୁ।

କାଲିଫର୍ଣ୍ଣିଆ (ଯୁକ୍ତରାଷ୍ଟ୍ର ଆମେରିକା)

ଇ-ମେଲ୍: mohapatra74@gmail.com

2 Comments

  1. Beautiful story!! There are so many srinabas babu on this earth.But salute to Srinibas babu for stepping out of the closet…. God makes mistake. A human is made with both physical and mental alignment. There are many human born with a gender but mind is with a different gender!!! I wonder what Soma’s (srinibas babu daughtet)husband is: a pure male (both physical and mental) or not?? Hope the time will tell us…

  2. ବହୁତ ସୁନ୍ଦର ଷ୍ଟୋରୀ । ଆମର ଏବେ ତ ଏଠି ଏଇ ପ୍ରକାର ସମ୍ପର୍କ ଭୁତ ଲୋକ ମାନି ନେଲେଣି ।

Leave a Reply

Your email address will not be published.


*